ନୂଆଦିଲ୍ଲୀ: ସଙ୍କଟରେ ଦିଲ୍ଲୀର ଶାସକ ଦଳ ଆପ୍ । ନିର୍ବାଚନକୁ ଓହ୍ଲାଇବା ପୂର୍ବରୁ ପରାଜୟ ଭୟରେ ବିରୋଧୀଙ୍କ ସାମନାରେ ମୁଣ୍ଡ ନୁଆଁଇଲାଣି ଆମ ଆଦମୀ ପାର୍ଟି । ବିରୋଧୀଙ୍କ ସହ ମେଣ୍ଟ ପାଇଁ ପ୍ରୟାସ ଜାରି ରଖିଛନ୍ତି କେଜ୍ରିୱାଲ । ପୁଣିଥରେ କଂଗ୍ରେସ ସହ ମେଣ୍ଟ ପାଇଁ ଏଥର ମଧ୍ୟସ୍ଥିଙ୍କ ସହାୟତା ଲୋଡିଛି ଆପ୍ ।
ଆଉ ମଧ୍ୟସ୍ଥତା ଦାୟିତ୍ୱ ନେଇଛନ୍ତି ଏନସିପି ନେତା ଶରଦ ପାୱାର । ତାଙ୍କ ହାତରେ କଂଗ୍ରେସ ନିକଟକୁ ପ୍ରସ୍ତାବ ପଠାଇଛି ଆପ୍ । ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ଲୋକସଭା ନିର୍ବାଚନରେ ଆପ୍-କଂଗ୍ରେସ ମେଣ୍ଟ କରି ଏକାଠି ଲଢିବା ପାଇଁ ମଧ୍ୟସ୍ଥତା କରୁଛନ୍ତି ପାୱାର । ଦିଲ୍ଲୀର 7ଟି ଆସନ ପାଇଁ କଂଗ୍ରେସ 2ଟି ଓ ଆପ 5ଟିରେ ଲଢେଇ କରିବ ।
ସେହିପରି ପଞ୍ଜାବରେ 13ଟି ସିଟରୁ କଂଗ୍ରେସ 10 ଓ ଆପ ତିନୋଟିରେ ଲଢେଇ କରି ବିଜେପିକୁ କଡ୍ଡା ଟକ୍କର ଦେବା ନେଇ ଆଶାବାଦୀ ଅଛନ୍ତି କେଜ୍ରିୱାଲ । ତେବେ ପୂର୍ବରୁ ଆପ୍ ସହ ଦିଲ୍ଲୀରେ ମେଣ୍ଟ ପାଇଁ ରୋକଠୋକ ମନା କରି ଦେଇଥିଲା କଂଗ୍ରେସ । ମାତ୍ର ଏହାର ଠିକ ପରେ ହରିୟାଣାରେ ଏକାଠି ଲଢିବା ପାଇଁ ପ୍ରସ୍ତାବ ଦେଇଥିଲେ କେଜ୍ରିୱାଲ ।