ନୂଆଦିଲ୍ଲୀ: ସବୁବେଳେ ବିବାଦ ଘେରରେ ରହୁଥିବା ନବଜୋତ ସିଂହ ସିନ୍ଧୁ ଏକ ଲମ୍ବା ସମୟ ପରେ ନିଜ ବିଧାନସଭା କ୍ଷେତ୍ରରେ ଲୋକଙ୍କ ନିକଟକୁ ରାସନ ବାଣ୍ଟିବାକୁ ଯାଇଥିଲେ । କିନ୍ତୁ ମାସ୍କ ପିନ୍ଧି ନଥିବା ହେତୁ ସେ ପୁଣି ବିବାଦ ଘେରକୁ ଠେଲି ହୋଇଯାଇଛନ୍ତି ।
ତେବେ ନବଜୋତ ସିଂହ ସିନ୍ଧୁ ଲୋକଙ୍କ ଗହଣରେ ଥିବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ସେ ବିନା ମାସ୍କରେ ଲୋକଙ୍କୁ ରାସନ ବାଣ୍ଟୁଛନ୍ତି । ସଚେତନତା ସହ ଲୋକଙ୍କୁ ସମାଜାକ ଦୂରତା ରଖିବାକୁ ପରାମର୍ଷ ଦେଉଛନ୍ତି । କିନ୍ତୁ ଖୋଦ ମାସ୍କ ପିନ୍ଧିନଥିବା ସହ ତାଙ୍କର କିଛି ସମର୍ଥକ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା । ଏହାସହ କିଛି ଲୋକ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହା ଜଣା ପଡିବାର କିଛି ଘଣ୍ଟା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିୟମ ଉଲ୍ଲଙ୍ଘନ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଦୀର୍ଘଦିନ ପରେ ସିନ୍ଧୁ ଲୋକଙ୍କ ଗହଣରେ ଦେଖିବାକୁ ମିଳିଥିବା ବେଳେ ନିୟମ ଉଲ୍ଲଙ୍ଘନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବରିଷ୍ଠ ଓକିଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନିକଟରେ ନବଜୋତ ସିଂହଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।