ନୂଆଦିଲ୍ଲୀ: ଭାରତୀୟ ସେନାରେ ବିଦ୍ରୋହକୁ ନେଇ ଏକ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେନାର ଦେଶପ୍ରେମକୁ ସାଲ୍ୟୁଟ କରିବା ସହ ଏହା କେବେ ମଧ୍ୟ ଦେଶ ବିରୋଧରେ ଯିବ ନାହିଁ ବୋଲି କହିଛନ୍ତି । ଏହା ପାକିସ୍ତାନର ସେନା ନୁହେଁ ବୋଲି ମୋଦି କହିଛନ୍ତି ।
ରବିବାର ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ଅନେକ ସାଧାରଣ ସଭାକୁ ସମ୍ବୋଧନ କରିବା ଅବସରରେ ଏପରି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୧-୧୨ରେ ୟୁପିଏ ସରକାରଙ୍କ ଅମଳରେ ଭାରତୀୟ ସେନା ବିଦ୍ରୋହ ଯୋଜନା କରିଥିବା ଏକ ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଭାରତୀୟ ସେନାର ଦୁଇଟି ୟୁନିଟ ରାଜଧାନୀ ଦିଲ୍ଲୀ ଆଡକୁ ଅଗ୍ରସର ହେଉଥିବା ଏହି ଖବରରେ ପ୍ରଚାର ହୋଇଥିଲା । ତତ୍କାଳୀନ ସେନାମୁଖ୍ୟ ଜେନେରାଲ ଭିକେ ସିଂହଙ୍କ ସହ ସରକାରଙ୍କ କେତେକ ବିବାଦ ଚାଲିଥିବାରୁ ଏପରି ଖବର ପ୍ରକାଶ ପାଇଥିଲା ।
ତେବେ ଏହା ଉପରେ ମୋଦି କହିଛନ୍ତି ଯେ ଆମ ସେନା ପାକିସ୍ତାନ ସେନା ନୁହେଁ । ସେଠାରେ ଏପରି ଘଟଣା ସାଧାରଣ । ଏହା ସେମାନଙ୍କ ପାଇଁ ନୂଆ ନୁହେଁ । କିନ୍ତୁ ଆମ ସେନାଙ୍କ ଦେଶପ୍ରେମ ଉପରେ ପ୍ରଶ୍ନବାଚୀ ଉଠାଇବା ନିହାତି ମୂର୍ଖାମୀର ବିଷୟ । ଏହା କେବେ ଦେଶ ବିରୋଧରେ ଯିବ ନାହିଁ । ପ୍ରତ୍ୟେକ ଭାରତୀୟ ଜାଣିଛନ୍ତି ଯେ ସେନା କେବେ ମଧ୍ୟ ଏପରି କାର୍ଯ୍ୟ କରିବା ନାହିଁ । ଏହା ଏକ ମିଛ ଗୁଜବ ଥିଲା ବୋଲି ମୋଦି କହିଛନ୍ତି ।

ରିପୋର୍ଟ ଅନୁସାରେ ଜଣାପଡିଛି ଯେ ୟୁପିଏ ସରକାରଙ୍କ କେତେଜଣ କ୍ୟାବିନେଟ ମନ୍ତ୍ରୀଙ୍କ ଇସାରାରେ କେତେକ ସାମ୍ବାଦିକ ଏହି ଖବର ପରିବେଷଣ କରିଥିଲେ । ତତ୍କାଳୀନ ସେନାମୁଖ୍ୟ ଜେନେରାଲ ଭି.କେ.ସିଂଙ୍କୁ ବଦନାମ କରିବା ଏମାନଙ୍କ ଉଦ୍ଦେଶ୍ୟ ଥିଲା । ଏହା ଜଣାପଡିବା ପରେ ଏବେ ବିଜେପି ଏହି ବିଷୟ ଉପରେ କଂଗ୍ରେସକୁ ଟର୍ଗେଟ କରିଛି ।