ନୂଆଦିଲ୍ଲୀ: କାମ ଦେଇଛି ମୋଦି ସରକାରଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ । ଉଭୟ ଷ୍ଟ୍ରାଇକ ପରେ ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ଅନୁପ୍ରବେଶ ଅନେକ ମାତ୍ରାରେ ହ୍ରାସ ପାଇଥିବା ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ୨୦୧୮ ତୁଳନାରେ ୨୦୧୯ ର ପ୍ରଥମ ୬ ମାସ ଭିତରେ ଅନୁପ୍ରବେଶ ଘଟଣା ୪୩ ପ୍ରତିଶତ ହ୍ରାସ ପାଇଛି ।
ବାଲକୋଟ ଏୟାର ଷ୍ଟ୍ରାଇକ ପରେ ରାଜ୍ୟରେ ଅନୁପ୍ରବେଶ କମିଛି କି ନାହିଁ ବୋଲି ସଂସଦରେ ପ୍ରଶ୍ନ କରାଯାଇଥିଲା । ତେବେ ଏହାର ଜବାବ ଦେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ସୁରକ୍ଷାକର୍ମୀଙ୍କ ଲଗାତାର ପ୍ରୟାସ ଯୋଗୁଁ ଜମ୍ମୁ-କାଶ୍ମୀରର ଅବସ୍ଥାରେ ପରିବର୍ତ୍ତନ ଆସିଛି । ପୂର୍ବ ବର୍ଷ ଅପେକ୍ଷା ଏବର୍ଷର ଜୁନ ମାସ ସୁଦ୍ଧା ଅନୁପ୍ରବେଶ 43 ପ୍ରତିଶତ କମିଛି ବୋଲି ସେ କହିଛନ୍ତି । ଆତଙ୍କବାଦୀ ଆକ୍ରମଣ ଘଟଣାରେ 28 ପ୍ରତିଶତ, ଆତଙ୍କବାଦୀ ସଂଗଠନରେ ସ୍ଥାନୀୟ ଯୁବକଙ୍କ ଭର୍ତ୍ତି ମାମଲାରେ 40 ପ୍ରତିଶତ କମିଥିବା ସେ କହିଛନ୍ତି । ଏହା ବ୍ୟତିତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ୨୨ ପ୍ରତିଶତ ବଢ଼ିଥିବା ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି ।