ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଚର୍ଚ୍ଚା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାହୁଲଙ୍କ ଠେଙ୍ଗାମାଡ ବୟାନକୁ ନେଇ ତାଙ୍କୁ କଟାକ୍ଷ କରିବା ସହ ପରୋକ୍ଷରେ ତାଙ୍କୁ ଟ୍ୟୁବ୍ଲାଇଟ୍ କହିଛନ୍ତି ମୋଦି ।
ଲୋକସଭାରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମୋଦି କହିଥିଲେ, ମୁଁ ଜଣେ କଂଗ୍ରେସ ନେତାଙ୍କ ଭାଷଣ ଶୁଣିଲି । 6 ମାସରେ ଯୁବପିଢ଼ି ମୋଦିଙ୍କୁ ଠେଙ୍ଗାରେ ପିଟିବେ ବୋଲି ସେ କହିଥିଲେ। ତେଣୁ ଏଥିପାଇଁ ମୋତେ ପ୍ରସ୍ତୁତ ରହିବାକୁ କିଛି ସମୟ ଲାଗିବ। 6 ମାସ ଭିତରେ ପ୍ରତିଦିନ ସୂର୍ଯ୍ୟ ନମସ୍କାର ସଂଖ୍ୟା ବୃଦ୍ଧି କରିଦେବି ବୋଲି ମୁଁ ସ୍ଥିର କରିଛି । ଗତ 20 ବର୍ଷ ଧରି ଖରାପ ଗାଳି ଶୁଣି ଶୁଣି ମୁଁ ନିଜକୁ ‘ଗାଳି ପ୍ରୁଫ’ କରିଦେଇଛି । ତେବେ ପିଟିବା ପୂର୍ବରୁ ମୋତେ ସତର୍କ କରିଥିବାରୁ
ମୁଁ କୃତଜ୍ଞ ବୋଲି ସେ କହିଥିଲେ ।
ତେବେ ଏହି ସମୟରେ ରାହୁଲ ଗାନ୍ଧୀ ନିଜ ଆସନରୁ ଠିଆ ହୋଇ ଟିପ୍ପଣି କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ମୋଦି ଏଥିରେ ହସ୍ତକ୍ଷେପ କରି କହିଥିଲେ, ମୁଁ ୪୦ ମିନିଟ ହେଲା କହିଆସୁଛି । କିନ୍ତୁ ତାଙ୍କୁ ଏତେ ସମୟ ପରେ କରେଣ୍ଟ ଲାଗିଲା । ଅନେକ ଟ୍ୟୁବ୍ଲାଇଟ୍ ଏପରି ହିଁ ଥାନ୍ତି ବୋଲି ମୋଦି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିଲ୍ଲୀରେ ନିର୍ବାଚନ ରାଲିରେ କହିଥିଲେ, ଏବେ ଯେଉଁ ପରିସ୍ଥିତି ରହିଛି, ସେଥିରୁ ଜଣାପଡ଼ୁଛି ଯେ ଆଗାମୀ 6 ମାସ ମଧ୍ୟରେ ଯୁବପିଢ଼ି ମୋଦିଙ୍କୁ ଠେଙ୍ଗାରେ ପିଟିବେ।