ନୂଆଦିଲ୍ଲୀ: ନିଜର ବିକୃତ ତଥା ଖଳ ମନୋବୃତ୍ତିରୁ ଚୀନ୍ କେବେ ଓହରିବ, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ। କୋରୋନା ଭୂତାଣୁ ଜରିଆରେ ଏହା ସମଗ୍ର ବିଶ୍ୱକୁ ଛାର୍ଖାର୍ କରିସାରିଲାଣି ଚୀନ । ଏତିକିରେ ମନ ଭରୁନି ଯେ ଆଉ ଏକ ମହାମାରୀ ବିସ୍ତାର କରିବାର ମାଧ୍ୟମ ଖୋଜି ସାରିଲାଣି । ଏବେ ବିହନ ପାର୍ସଲ ଜରିଆରେ ଭୂତାଣୁ ପଠାଇବା ଆରମ୍ଭ କଲାଣି ଚୀନ୍ । ଏଭଳି ସନ୍ଦିଗ୍ଧ ଚାଇନିଜ୍ ବିହନ ପାର୍ସଲ ନେଇ କେନ୍ଦ୍ର କୃଷି ମନ୍ତ୍ରାଳୟ ସମସ୍ତ ରାଜ୍ୟ ଏବଂ ଏଜେନ୍ସିଗୁଡିକୁ ହାଇ ଆଲର୍ଟ ଜାରି କରିଛି ।
ଗତ କିଛି ମାସ ହେବ ଆମେରିକା, କାନାଡା, ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ, ଜାପାନ ଏବଂ ୟୁରୋପ ସମେତ ବିଶ୍ୱର ଅନେକ ପ୍ରାନ୍ତରେ ଏପରି ପାର୍ସଲ୍ଗୁଡିକ ପହଞ୍ଚିଥିବା ମନ୍ତ୍ରାଳୟ ସୂଚନା ଦେଇଛି । ଏହି ପାର୍ସଲ ଜରିଆରେ ଚୀନ୍ ଆଉ ଏକ ମହାମାରୀକୁ ଛାଡୁଥିବା ଜଣାଯାଇଛି । ଏଥିସହ ଏହା ଜୈବିକ ଯୁଦ୍ଧର ଆରମ୍ଭ କରୁଥିବା ଆଶଙ୍କା କରାଯାଉଛି । ତେବେ ଆମେରିକାର କୃଷି ବିଭାଗ (USDA) ଏହାକୁ କୃଷି ତସ୍କରି ବୋଲି କହିଛି । କୋରୋନା ପରେ ଯଦି ବିହନ ମାଧ୍ୟମରେ ଆଉ କିଛି ମହାମାରୀ ଆସେ, ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯିବ । ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ମନ୍ତ୍ରାଳୟ ପ୍ରକାଶ କରିଛି । ଏ ନେଇ ସମସ୍ତ ରାଜ୍ୟ, କୃଷି ବିଶ୍ୱ ବିଦ୍ୟାଳୟ, ବିହନ ସଂଘ, ପ୍ରମାଣନ ଏଜେନ୍ସି ଏବଂ ଭାରତୀୟ କୃଷି ଗବେଷଣା ପରିଷଦ(ଆଇସିଏଆର୍)କୁ ଅବଗତ କରାଯାଇଥିବା ମନ୍ତ୍ରାଳୟ ପ୍ରକାଶ କରିଛି ।
ସୂଚନାଯୋଗ୍ୟ, ଭାରତୀୟ ଜାତୀୟ ବିହନ ସଂଘ(ଏନ୍ଏସ୍ଏଆଇ) ପକ୍ଷରୁ ସରକାରଙ୍କୁ ଏ ନେଇ ପ୍ରଥମେ ଅବଗତ କରାଯାଇଥିଲା । ଚୀନ୍ରୁ ଆସୁଥିବା ବିହନକୁ ନେଇ ରାଜ୍ୟ ତଥା ବିହନ ସଂଗ୍ରହ ଏଜେନ୍ସିଗୁଡିକୁ ହାଇ ଆଲର୍ଟ ଜାରି କରିବା ପାଇଁ ସଂଘ କହିଥିଲା । ଏହା ପରେ କୃଷି ମନ୍ତ୍ରାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଭାରତର ଜୈବ ବିବିଧତା କ୍ଷେତ୍ରରେ ଏଭଳି ବିହନ ବିପଦ ସାଜିବ ବୋଲି ମନ୍ତ୍ରାଳୟ ପ୍ରକାଶ କରିଛି ।
କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶରେ ଫେଡେରେସନ୍ ଅଫ୍ ସିଡ୍ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆର ମହାନିର୍ଦ୍ଦେଶକ ରାମ କାଉଣ୍ଡିନ୍ୟା କହିଛନ୍ତି, ବର୍ତ୍ତମାନ ବିନା ଅନୁମତିରେ ଅନଧିକୃତ ଉତ୍ସରୁ ଆସୁଥିବା ମଞ୍ଜି ମାଧ୍ୟମରେ ଉଦ୍ଭିଦ ରୋଗର ବିସ୍ତାର ପାଇଁ ଏହା କେବଳ ଚେତାବନୀ। ଏହାକୁ ବିହନ ଆତଙ୍କବାଦ ବୋଲି କହିବା ଠିକ୍ ନୁହେଁ। କେଉଁ ରୋଗ ବିହନ ଆଣିପାରେ ତାହାର ଏକ ସୀମା ଅଛି । କିନ୍ତୁ ତଥାପି, ଏହା ଏକ ବିପଦ ।