ବେଙ୍ଗାଲୁରୁ: କୋରୋନା କାଳରେ ହିନ୍ଦୁ-ମୁସଲମାନ ଭାଇଚାରାର ପୁଣି ଏକ ଦୃଶ୍ୟ ସାମ୍ମାକୁ ଆସିଛି । ଯାହା ପ୍ରମାଣ କରିଛି ଯେ ଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ବି କିପରି ଅନ୍ୟଜଣଙ୍କ ପ୍ରତି ସ୍ନେହ, ପ୍ରେମ ଏବଂ ସମ୍ନାନ ରହିଛି । କୋରୋନାରେ ପ୍ରାଣ ହରାଇଥିବା ଜଣେ ହିନ୍ଦୁ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର କିଛି ମୁସଲମାନ ଯୁବକ । ତାହା ମଧ୍ୟ ହିନ୍ଦୁ ରୀତିନୀତି ଅନୁଯାୟୀ । କର୍ଣ୍ଣାଟକର ବେଲଗାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବା ପରେ ଗତକାଲି ବେଲଗାମର ଜଣେ 70 ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ କୋରୋନା ମହାମାରୀ ଯୋଗୁଁ ସ୍ଥାନୀୟ ଲୋକମାନେ ମୃତଦେହ ନିକଟକୁ ଆସିବାକୁ ମଧ୍ୟ ଦ୍ୱିଧା ପ୍ରକାଶ କରିଥିଲେ। ତେବେ ଏହି ସମୟରେ ସହାୟତା ପାଇଁ ଆଗେଇ ଆସିଥିଲା ଅଞ୍ଜୁମାନ ନାମକ ଏକ ଇସଲାମ ଗୋଷ୍ଠୀ । ଏହି ଗୋଷ୍ଠୀର ସଦସ୍ୟ ମାନେ ହିନ୍ଦୁ ରୀତିନୀତି ଅନୁସାରେ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର କରିଥିଲେ।
ତେବେ କୋଭିଡ ସଂକ୍ରମିତ ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଏହି ଗୋଷ୍ଠୀ ସୃଷ୍ଟି କରାଯାଇଛି । ଏହି ଯୁବକମାନେ ମୃତଦେହକୁ ଘରୁ ଆମ୍ବୁଲାନ୍ସରେ ଆଣିଥିଲେ ଏବଂ ପିପିଏ କିଟ୍ ପିନ୍ଧି ଅନ୍ତିମ ସଂସ୍କାର କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ