ଭୋପାଳ: ବର୍ଷ ବର୍ଷ ଧରି ଦେଶର ବିଭିନ୍ନ ସ୍ଥାନରେ ଚାଲିଆସିଛି ବିଶ୍ବାସ ନାମରେ ଅନ୍ଧବିଶ୍ବାସ । ଆଇ ସବୁଠାରୁ ଆଶ୍ଚର୍ଯ୍ୟର କଥା କି ଏତେ ଶିକ୍ଷିତ ହୋଇ ବି ଅନେକ ଲୋକ ଏହାକୁ ବିରୋଧ କରିବା ବଦଳରେ ବେଶ ଉତ୍ସାହର ସହ ପାଳନ କରୁଛନ୍ତି । ମଧ୍ୟପ୍ରଦେଶର ଉଜ୍ଜୈନ ଜିଲ୍ଲାରେ ଥିବା ଭିଡାୱାଡରେ ମଧ୍ୟ ଦେଖିବାକୁ ମିଳିଛି ଏକ ଭିନ୍ନ ପରମ୍ପରା। ଯାହା ଭଗବାନଙ୍କ ଆଶୀର୍ବାଦ ପାଇବା ନାମରେ ଲୋକଙ୍କୁ କଷ୍ଟ ଦେବା ଛଡା ଆଉ କିଛି ନୁହେଁ ।
ଦୀପାବଳିରେ ଦୁଇ ଦିନ ପରେ ଭିଡାୱାଡରେ ପାଳନ ହୁଏ ‘ଗୌରୀ ପୂଜା’ । ଏଥି ପାଇଁ ମାନସିକଧାରୀମାନେ 5ଦିନ ପୂର୍ବରୁ ଉପବାସ କରନ୍ତି । ଦୀପାବଳି ପର ଦିନ ଗ୍ରାମଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ସେଠାରେ ରାତ୍ରିଯାପନ କରନ୍ତି । ଏହାର ଠିକ୍ ପର ଦିନ ନାଚ ଗୀତରେ ସଭିଏଁ ମସଗୁଲ ଥିବା ବେଳେ ମାନସିକଧାରୀମାନେ ମୁହଁ ପୋତି ଭୂଇଁରେ ଶୋଇ ରୁହନ୍ତି । ଆଉ ତାଙ୍କ ଉପରକୁ ଛଡା ଯାଏ ଶହ ଶହ ଗାଈ ।
ଗୋମାତାଙ୍କ ଦେହରେ କୋଟି କୋଟି ଦେବତାର ଆଶ୍ରୟ ଥିବାରୁ ସେ ଶରୀର ଉପରେ ଚଢିଲେ ଆଶୀର୍ବାଦ ମିଳେ ଏଠାକାର ଲୋକଙ୍କର ବିଶ୍ବାସ । ତେଣେ ଏପରି ମଧ୍ୟ ବିଶ୍ବାସ ରହିଛି କି ଗାଈ ଏପରି ଶରୀର ଉପରେ ଚଢିଯିବା ଦ୍ବାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଏନେଇ ଶହ ଶହ ଲୋକେ ଏହି ପରମ୍ପରାରେ ସାମିଲ ହୋଇଥାଆନ୍ତି । କେବଳ ମଧ୍ୟପ୍ରଦେଶ ନୁହେଁ ଦେଶର ଅନେକ ସ୍ଥାନରେ ଏହି ପରମ୍ପରାକୁ ଲୋକେ ଅନେକ ବର୍ଷ ହେବ ମାନି ଆସୁଛନ୍ତି ।
ତେବେ ଦେଶ ଡିଜିଟାଲ ଯୁଗରେ ପାଦ ଥାପିବାକୁ ବସିଥିବା ବେଳେ ଲୋକଙ୍କ ବିଶ୍ବାସ ନାମରେ ଏପରି ଅନ୍ଧବିଶ୍ବାସ କେତେ ଦୂର ଯଥାର୍ଥ ତାହା ସମୟ କହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ