ଭୋପାଳ: ବିଭିନ୍ନ ସମୟରେ ରୋଗୀଙ୍କ ପ୍ରତି ଡାକ୍ତର ଓ ଡାକ୍ତରଖାନାର ଅବହେଳା ଦେଖିବାକୁ ମିଳିଛି । କେତେବେଳେ ଆମ୍ବୁଲାନ୍ସ ନରହି ଲୋକଙ୍କ ଜୀବନ ଯାଉଛି ତ ଆଉ କେଉଁଠି ଭୁଲ ଇଞ୍ଜେକ୍ସନ ଦେଇ ପ୍ରାଣ ନେଉଛନ୍ତି ଡାକ୍ତର ଓ ଫାର୍ମାସିଷ୍ଟ । ତେବେ ମଧ୍ୟପ୍ରଦେଶର ଶିବପୁରୀର ଜିଲ୍ଲା ହସ୍ପିଟାଲର ଏମିତି ଏକ ଦୃଶ୍ୟ ଯାହା ଚକିତ କରିବା ସହ ଅତ୍ୟନ୍ତ ନିନ୍ଦନୀୟ ମଧ୍ୟ । ମୃତ ରୋଗୀର ଠିକ ଭାବେ ଯତ୍ନ ନନେଇଥିବାରୁ ମୃତଦେହର ଆଖିରେ ପିମ୍ପୁଡି ଲାଗିଯିବା ଘଟଣା ପୁରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ମଙ୍ଗଳବାର ସକାଳୁ ବାଲାଚନ୍ଦ୍ର ଲୋଧି ନାମକ ଜଣେ ବୃଦ୍ଧ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ମାତ୍ର 5 ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଏଠାରୁ ହିଁ ସରିଯାଇଥିଲା ଡାକ୍ତର ଓ ସେଠାରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ କର୍ତ୍ତବ୍ୟ । ସେମିତି ମୃତଦେହକୁ ଛାଡି ଦେଇ ଚାଲିଯାଇଥିଲେ । ଆଉ ଏହା ପରେ ଯେଉଁ ଦୃଶ୍ୟ ଥିଲା ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ ।
ମୃତ ବାଲାଚନ୍ଦ୍ରଙ୍କୁ ଶବାଗାରାରେ ନରଖିଯାଇଥିବାରୁ ତାଙ୍କ ଆଖିରେ ପିମ୍ପୁଡି ଲାଗିଯାଇଥିଲେ । ଏହାପରେ ବି ସେଠାରେ ଥିବା କର୍ମଚାରୀ ନିଜ ଦାୟିତ୍ବରୁ ଦୂରେଇ ରହିଥିଲେ । ତେବେ ଖବର ପ୍ରକାଶ ହେବା ପରେ ଖୋଦ ମୁଖ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କେଉଁ ପରିପ୍ରେକ୍ଷୀରେ ଏହି ଘଟଣା ଘଟିଛି। ତାହା ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାହାର ଟିକିନିଖି ଖବର ଦେବାକୁ ମୁଖ୍ୟମନ୍ତ୍ରୀ କମଳନାଥ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଅମାନବିକତା କାଣ୍ଡ ଆଦୌ ସହ୍ୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କଡା ଚେତାବନୀ ଦେଇଛନ୍ତି ।