ନୂଆଦିଲ୍ଲୀ: ଭାରତରେ କୋରୋନା ଆକ୍ରାନ୍ତ ବଢିଚାଲିଥିବାବେଳେ ସୁସ୍ଥତା ସଂଖ୍ୟା ମଧ୍ୟ ଅଧିକ ରହିଛି । ଗତ 24 ଘଣ୍ଟାରେ 4776 କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ଏବେ ଯାଏଁ ଲକ୍ଷାଧିକ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ 1 ଲକ୍ଷ 303 ଜଣ ସୁସ୍ଥ ହୋଇସାରିଲେଣି । ଏହାସହ ଦେଶରେ କୋରୋନା ସୁସ୍ଥତା ହାର 48.31 ପ୍ରତିଶତ ରହିଛି । ଏବେ ଯାଏଁ ବିଭିନ୍ନ ହସ୍ପିଟାଲରେ 1 ଲକ୍ଷ 1 ହଜାର 497 ସକ୍ରିୟ ମାମଲା ରହିଛି । ଭାରତରେ କୋରୋନାଜନିତ ମୃତ୍ୟୁହାର 2.80 ପ୍ରତିଶତ ଥିବା ମନ୍ତ୍ରଣାଳୟ ସୂଚନା ଦେଇଛି । ଏପ୍ରିଲ 15ରେ ଦେଶର କୋରୋନା ସୁସ୍ଥତା ହାର ଥିଲା 11.42 ଯାହା ମେ 3ରେ 26.59 ଥିଲା । ମେ 18ରେ ଏହା 38.29 ପହଞ୍ଚିଥିଲା । ଆଜି ଏହି ସୁସ୍ଥତା ହାର 48.31ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।
ଦେଶରେ 480ଟି ସରକାରୀ ଏବଂ 208ଟି ବେସରକାରୀ ଲାବରେ କୋରୋନା ସାମ୍ପଲ ପରୀକ୍ଷା ହେଉଛି । ମଙ୍ଗଳବାର 1 ଲକ୍ଷ 37 ହଜାର 158ଟି ନମୁନା ପରୀକ୍ଷା ହୋଇଥିଲା । ମୋଟ୍ 41 ଲକ୍ଷ 3 ହଜାର 233 ସାମ୍ପଲ ବୁଧବାର ପର୍ଯ୍ୟନ୍ତ ଟେଷ୍ଟ ହୋଇସାରିଛି । ଦେଶବ୍ୟାପୀ ଏବେ ଯାଏଁ 952ଟି କୋଭିଡ ହସ୍ପିଟାଲରେ 1 ଲକ୍ଷ 66 ହଜାର 332ଟି ଆଇସୋଲେସନ ବେଡ୍ ରହିଛି । 21 ହଜାର 393 ଆଇସିୟୁ ବେଡ୍ ଏବଂ 72 ହଜାର 762ଟ ଅକ୍ସିଜେନ୍ ବେଡ ଉପଲବ୍ଧ ଅଛି ।
ସେହିପରି 2391ଟି କୋଭିଡ ହେଲଥ ସେଣ୍ଟରରେ 1 ଲକ୍ଷ 34 ହଜାର 945ଟି ଆଇସୋଲସନ ବେଡ୍, 11 ହଜାର 27ଟି ଆଇସିୟୁ ବେଡ୍ ଏବଂ 46 ହଜାର 875ଟି ଅକ୍ସିଜେନ୍ ବେଡ୍ ସୁବିଧା ରହିଛି । କେନ୍ଦ୍ର ପକ୍ଷରୁ 125.28 ଲକ୍ଷ ଏନ95 ମାସ୍କ ଏବଂ 101.54 ଲକ୍ଷ ପିପିଇ କିଟ୍ସ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ଅନୁଷ୍ଠାନକୁ ଯୋଗାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ପ୍ରେସମିଟରେ ସୂଚନା ଦିଆଯାଇଥିଲା ଯେ ଭାରତର କୋରୋନାଜନିତ ମୃତ୍ୟହାର ବିଶ୍ବରେ ସର୍ବନିମ୍ନ । ଦେଶରେ ମୋଟ 50 ପ୍ରତିଶତ କୋରୋନା ମୃତ୍ୟୁ ପାଇଁ କେବଳ 10 ପ୍ରତିଶତ ଲୋକ ଦାୟୀ । ଆଉ 73 ପ୍ରତିଶତ ମୃତ୍ୟୁରେ ଲୋକଙ୍କ ନିକଟରେ କୋଭିଡ ସହ ଅନ୍ୟାନ୍ୟ ରୋଗର ମଧ୍ୟ ଲକ୍ଷଣ ଥିଲା । ବିଶ୍ବସ୍ତରରେ କୋରୋନା ମୃତ୍ୟୁହାର 6.13 ପ୍ରତିଶତ ରହିଛି । ଯେବେକି ଭାରତରେ ଏହା 2.82 ପ୍ରତିଶତ ଅଛି । ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ 0.42 ପ୍ରତିଶତ ମୃତ୍ୟୁହାର ରହିଛି ।