ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜି ସାରା ଦେଶରେ ଜନତା କର୍ଫ୍ୟୁ । କୋରୋନା ମୁକବିଲା ନେଇ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ମୋଦି । କେବଳ ଅତ୍ୟାବଶ୍ୟକୀୟ ସ୍ଥଳରେ ହିଁ ବାହାରକୁ ଯାଇପାରିବେ । ସେପଟେ, ଏନେଇ ମୋଦି ରବିବାର ପୁଣିଥରେ ଜନତାଙ୍କ ସମର୍ଥନ ଲୋଡ଼ିଛନ୍ତି । ସେ କହିଛନ୍ତି, ମୁଁ ସମସ୍ତ ନାଗରିକଙ୍କୁ ଏହି ଦେଶବ୍ୟାପୀ ଅଭିଯାନରେ ସାମିଲ ହେବା ସହ କୋରୋନା ବିରୋଧରେ ଲଢେଇକୁ ସଫଳ କରିବାକୁ ଅନୁରୋଧ କରୁଛି । ଆମ ଦୃଢ ସଂକଳ୍ପ ଓ ସଞ୍ଜମତା ହିଁ ଏହି ମହାମାରୀକୁ ପରାସ୍ତ କରିବ'।
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ କୋରୋନ ଜନିତ ସଂକ୍ରମିତଙ୍କ ସଂଖ୍ୟା 315ରେ ପହଞ୍ଚିସାରିଛି । ଏହା ସହ 4ଜଣଙ୍କ ଜୀବନ ଯାଇଛି । ତେବେ ଏହା ଦ୍ବିତୀୟ ପର୍ଯ୍ୟାୟରେ ଥିବାବେଳେ, ଗୋଷ୍ଠୀ ସଂକ୍ରମଣ ଯେପରି ନ ବ୍ୟାପେ ସେ ଦିଗରେ ଏଭଳି ପଦକ୍ଷେପ ନିଆଯାଇଛି । ଫଳରେ ଏହି ନିୟମକୁ ପାଳନ କରି ଦେଶର କେତେକ ସ୍ଥାନ ଜନ ଶୂନ୍ୟ ପଡିଥିବାର ଦେଖିବାକୁ ମିଳିଛି । ଦେଶର ଆର୍ଥିକ ରାଜଧାନୀରେ ମଧ୍ୟ ଲକଡାଉନ କରାଯାଇଛି । ଫଳରେ ପୁଣେ, ମୁମ୍ବାଇ ଓ ନାଗପୁର ସମ୍ପୂର୍ଣ୍ଣ ନାକାବନ୍ଦୀ ।
ଅନ୍ୟପଟେ, ଜନତା କର୍ଫ୍ୟୁ ସହ ରାଜ୍ୟରେ ମଧ୍ୟ 5 ଟି ଜିଲ୍ଲା ସମେତ 8ଟି ସହରରେ ଲକଡାଉନ କରାଯାଇଛି । ଏପରିକି ରାଜଧାନୀ ସମେତ କେତେକ ଅଞ୍ଚଳ ଖାଁ ଖାଁ ହୋଇପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ