ନୂଆଦିଲ୍ଲୀ: ଦେଶର ତିନୋଟି ମହାନଗର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଅହମଦାବାଦାସ୍ଥିତ ଜାଇଡସ ବାୟୋଟେକ ପାର୍କର ପରିଦର୍ଶନ କରିବା ପରେ ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଅଭିମୁଖେ ଯାତ୍ରା କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଶୁକ୍ରବାର ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବିଷୟରେ ସୂଚନା ଦେଇଥିଲେ ।
ତେବେ ମୋଦି ଅହମ୍ମଦାବାଦରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ସମାଗମ ବୃଦ୍ଧି ପାଇଥିଲା । ଏହାସହ ମୋଦି ମଧ୍ୟ ବାୟୋଟେକ୍ ପାର୍କରେ ପିପିଇ କିଟ୍ ପିନ୍ଧି କୋରୋନା ଟିକାର ଅଗ୍ରଗତି ସମ୍ପର୍କରେ ଯାଞ୍ଚ କରୁଥିବାର ନଜର ଆସିଥିଲେ । ଏହି ପାର୍କ ଅହମ୍ମଦାବାଦ ଠାରୁ 20 କିଲୋମିଟର ଦୂରରେ ଥିବା ଚାଙ୍ଗୋଡର ଶିଳ୍ପାଞ୍ଚଳରେ ଅବସ୍ଥିତ । ରିପୋର୍ଟ ଅନୁଯାୟୀ, ପିଏମ ମୋଦି ଏକ ଘଣ୍ଟା ପ୍ଲାଣ୍ଟରେ ରହିଥିଲେ । ଔଷଧ ନିର୍ମାତା ଜାଇଡସ୍ ବାୟୋଟେକ୍ ପାର୍ତ ଘୋଷଣା କରିଛନ୍ତି ଯେ, କୋରୋନା ଭାଇରସ୍ ଟିକା ZyCoV-D ର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଶେଷ ହୋଇଛି ଏବଂ ଅଗଷ୍ଟରେ ଦ୍ବିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିଛି ।
ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦ ଗସ୍ତରେ ଆସି ଭାରତର ପ୍ରଥମ ସ୍ବଦେଶୀ ଟିକା ପ୍ରାର୍ଥୀ ଭାବରେ କୋଭାକ୍ସିନ ବିଷୟରେ ଯାଞ୍ଚ କରିବେ । ପରେ ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦରୁ ପୁଣେ ଅଭିମୁଖେ ଯାତ୍ରା କରିବେ । ସେଠାର ସେ ସେରମ୍ ଇନଷ୍ଟିଚ୍ୟୁଟ ଗସ୍ତ କରିବେ । ସେରମ୍, ଆଷ୍ଟ୍ରାଜେନେକା ଓ ଅକ୍ସୋଫୋର୍ଡ ୟୁନିଭର୍ସିଟି ସହ ମିଶି କୋଭିଡ-19 ଟିକା ପ୍ରସ୍ତୁତ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ