ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଜୁ ବାବୁଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 1945 ମସିହାର ଏକ ଦସ୍ତାବିଜ ଟ୍ବିଟରରେ ସେୟାର କରିବା ସହ ବିଜୁ ବାବୁଙ୍କ ସାହସିକତାକୁ ମନେପକାଇଛନ୍ତି ।
1945 ମସିହାରେ ବିଜୁବାବୁ କିପରି ଆତ୍ମଗୋପନ କରିଥିବା ରାମମନହୋର ଲୋହିଆଙ୍କୁ ବିମାନରେ ବସାଇ ଦିଲ୍ଲୀରୁ କୋଲକାତା ନେଇଯାଇଥିଲେ ତାହା ଏଥିରେ ଉଲ୍ଲେଖ ରହିଛି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଜୁ ବାବୁଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦେଶର ସ୍ଵାଧୀନତାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି ଟ୍ବିଟରେ ଲେଖି ତାଙ୍କର ସ୍ବାଭିମାନ, ରାଜନୈତିକ ମୂଲ୍ୟବୋଧ ଓ ନୀତି ଆଦର୍ଶକୁ ପାଥେୟ କରି ନୂଆ ଓଡିଶା ଗଠନ ପାଇଁ ଆମେ ପ୍ରତିଶୃତିବଦ୍ଧ ବୋଲି ଦର୍ଶାଇଛନ୍ତି ।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍ ମାଧ୍ୟମରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେପଟେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁର୍ଦଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେ ଭାରତ ରତ୍ନ ପାଇଁ ହକଦାର ବୋଲି ଉଲ୍ଲେଖ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ