ନୂଆଦିଲ୍ଲୀ: ତିନି ତଲାକ ବିରୋଧରେ ଆଇନ ଗୃହୀତ ଓ ଧାରା 370 ଉଚ୍ଛେଦ ପରେ ଏବେ ଧର୍ମ ପରିବର୍ତ୍ତନ ବିରୋଧ ବିଲ ଉପରେ ମୋଦି ସରକାରଙ୍କ ଫୋକସ୍ । ଖୁବଶୀଘ୍ର ସଂସଦରେ ଆଗତ ହୋଇପାରେ ଧର୍ମ ପରିବର୍ତ୍ତନ ବିଲ । ସଂସଦର ଆଗାମୀ ସଦନରେ ବିଲ ଉପସ୍ଥାପନ କରିବାକୁ ବିଚାର ବିମର୍ଷ କରୁଛନ୍ତି ମୋଦି ସରକାର। ଏନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ଲୋକଙ୍କୁ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ ଘଟଣା ବାରମ୍ବାର ସାମ୍ନାକୁ ଆସିଛି । ବିଶେଷ କରି କେରଳ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଏହି ଘଟଣା ଟିକେ ଅଧିକ । ତେଣୁ ଏହାକୁ ବନ୍ଦ କରିବାକୁ ବହୁ ପୂର୍ବରୁ ବିଜେପି ସରକାର ଏ ସମ୍ପର୍କିତ ବିଲ୍ ଗୃହିତ କରିବା ପାଇଁ ଦାବି ମଧ୍ୟ ଉଠାଇଛନ୍ତି ।
ପୂର୍ବରୁ ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଧର୍ମାନ୍ତିକରଣ ଉପରେ ଆଇନ ଆଣିବାକୁ ଦାବି ଉଠାଇଥିଲେ । ହେଲେ ଏହା ସମ୍ଭବ ହୋଇ ପାରିନଥିଲା । ତେଣୁ ଚଳିତ ଥର ମୋଦି ସରକାର ଧର୍ମାନ୍ତିକରଣ ବିରୋଧରେ ଆଇନ ଆଣିବାକୁ ଚିନ୍ତା କରୁଛନ୍ତି । ଏଥିପାଇଁ ବିଜେପି ନେତା ଓ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।
ଦେଶର କେତେକ ରାଜ୍ୟରେ ହିନ୍ଦୁ ସଂପ୍ରଦାୟ ଲୋକ କମ୍ ଥିବା ବେଳେ ଅତି ଚତୁରତାର ସହ ସେମାନଙ୍କର ଧର୍ମ ପରିବର୍ତ୍ତନ କରାଯାଉଥିବା ନେଇ ଚିଠିରେ ଉଲ୍ଲେଖ କରିଥିଲେ । ଏନେଇ ଉପାଧ୍ୟାୟ କୁହନ୍ତି 90 ଦଶକରେ ଧର୍ମାନ୍ତିକରଣ କରୁଥିବା କେତେକ ସଂସ୍ଥା ଗରିବ, କୃଷକ, ସଂଖ୍ୟା ଲଘୁ ସଂପ୍ରଦାୟ ଲୋକଙ୍କୁ ଟାର୍ଗେଟ କରୁଥିଲେ । ବର୍ତ୍ତମାନ କିନ୍ତୁ ଏମାନେ ସହର ଆଡେ ଜାଲ ବିଛାଇଛନ୍ତି । ପୂର୍ବ ରାଜ୍ୟ ଗୁଡିକରୁ ଲୋକଙ୍କ ଧର୍ମ ପରିବର୍ତ୍ତନ କରିବା ପରେ ଏମାନେ ଉତ୍ତର ପ୍ରଦେଶ, କେରଳ, ପଞ୍ଜାବ ଓ ହରିୟାଣା ପ୍ରଭୃତି ରାଜ୍ୟ ଉପରେ ନଜର ପକାଇଛନ୍ତି ।