ଜୟପୁର: ରାଜସ୍ଥାନରେ ଘୋଡା ବେପାର ମାମଲାରେ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (SOG) ଗୁରୁବାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ପରେ ଜୟପୁର ବାସିନ୍ଦା ସଞ୍ଜୟ ଜୈନଙ୍କୁ 12 ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି ଏସଓଜି । ସଞ୍ଜୟ ଜୈନଙ୍କୁ SOG ମୁଖ୍ୟାଳୟଠାରେ ବିଭିନ୍ନ ପର୍ଯ୍ୟାୟରେ ପଚାରା ଉଚାରା କରିଛନ୍ତି ଏଡିଜି ଅଶୋକ ରାଠୋର । ତେବେ ସଞ୍ଜୟ ଜୈନ ବିଜେପିର କିଛି ବଡ ନେତାଙ୍କ ସମେତ କିଛି କଂଗ୍ରେସ ବିଧାୟକଙ୍କ ସହ ମିଶି ରାଜସ୍ଥାନ କଂଗ୍ରେସର କିଛୁ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରିଥିଲେ ବୋଲି ଅନୁସନ୍ଧାନ ବେଳେ ତଥ୍ୟ ସାମ୍ନାକୁ ଆସିଛି ।
ରାଜସ୍ଥାନରେ ଘୋଡା ବେପାର ସମ୍ପର୍କରେ ଗୁରୁବାର ସନ୍ଧ୍ୟାରେ ସୋସିଆଲ ମିଡିଆରେ କିଛି ଅଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସଞ୍ଜୟ ଜୈନ ବିଧାୟକ କିଣା ବିକା ସମ୍ପର୍କରେ କଥା ହେଉଥିଲେ । ଭାଇରାଲ ଅଡିଓରେ ଥିବା ସ୍ବର ସଞ୍ଜୟ ଜୈନ, କଂଗ୍ରେସର ଜଣେ ବିଧାୟକ ଏବଂ ବିଜେପିର ଜଣେ ବରିଷ୍ଠ ନେତାଙ୍କର ବୋଲି କୁହାଯାଉଛି । ତେବେ ସଞ୍ଜୟ ଜୈନ ବିଧାୟକ କିଣା ବିକାରେ ଜଣେ ମଧ୍ୟସ୍ଥି ଭାବରେ କାମ କରିବାକୁ ଚେଷ୍ଟା କରୁଥିଲେ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।
ବିଧାୟକ କିଣାବିକା ମାମଲାରେ ସଞ୍ଜୟ ଜୈନଙ୍କୁ ପଚରାଉଚରା କରାଯାଇଥିଲା । ଏହା ସହିତ ଏହି ମାମଲାରେ ଗିରଫ ହୋଇଥିବା 2 ଜଣ ବ୍ୟକ୍ତିଙ୍କ ସହ ଜୈନଙ୍କର କୌଣସି ସମ୍ପର୍କ ଅଛି କି ନାହିଁ ସେନେଇ ମଧ୍ୟ ଜେରା କରାଯାଇଛି । ତେବେ ଶୁକ୍ରବାର ମଧ୍ୟ ସଞ୍ଜୟ ଜୈନଙ୍କୁ ପଚରାଉଚରା ପାଇଁ ଏସଓଜି ମୁଖ୍ୟାଳୟକୁ ଡକାଯାଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।