ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ଟିକଟକ ଆପ୍ ବିରୋଧରେ ଟ୍ରେଣ୍ଡ ଚାଲିଛି । ବିଶେଷ କରି ୟୁଟ୍ୟୁବ ବନାମ ଟିକଟକ ଲଢେଇ ପରେ ପ୍ଲେ ଷ୍ଟୋରରେ ଟିକଟକର ରେଟିଂ ଖସିଛି । ଏହାକୁ ଅନେକ ଲୋକ ଅନଇନଷ୍ଟଲ କରିଛନ୍ତି ।
ତେବେ ଏହି ସମୟରେ ଏକ ସ୍ବଦେଶୀ ଆପ୍ ବାହାରିଛି ଯାହାର ନାମ ରହିଛି ମିତ୍ରୋଁ । ଚୀନ ଆପ୍ ବିରୋଧରେ ଏହାକୁ ସମସ୍ତେ ଭାରତୀୟ ଆପ୍ ବୋଲି କହୁଛନ୍ତି । ଏହାର 50 ଲକ୍ଷରୁ ଅଧିକ ଡାଉନଲୋଡ ମଧ୍ୟ ହୋଇଗଲାଣି । ଏହାକୁ ଆଇଆଇଟି ରୁରକିର ଜଣେ ଛାତ୍ର ଶିବାଙ୍କ ଅଗ୍ରୱାଲ ବନାଇଛି ବୋଲି କୁହାଯାଉଛି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯାହାକୁ ସମସ୍ତେ ଭାରତୀୟ ବୋଲି ଭାବୁଛନ୍ତି ପ୍ରକୃତରେ ତାହା ମେଡ ଇନ ଇଣ୍ଡିଆ ନୁହେଁ । ଏହାର ଅସଲ ନିର୍ମାତା ଜଣେ ପାକିସ୍ତାନୀ ବୋଲି ଖବର ରହିଛି ।
ରିପୋର୍ଟ ଅନୁସାରେ ଜଣେ ପାକିସ୍ତାନୀ ସଫ୍ଟୱେୟର ଡେଭଲପର ଇର୍ଫାନ ଶେଖ୍ ଠାରୁ ଏହି ଆପ୍ କିଣାଯାଇଛି । ଏହା ପାକିସ୍ତାନରେ ଟିକଟିକ ନାମରେ ପ୍ରସିଦ୍ଧ । ଇର୍ଫାନଙ୍କ କମ୍ପାନୀ କ୍ୟୁବୋକ୍ସ ଏହାକୁ ତିଆରି କରିଛି । ଏହାର କୋଡ୍ ସେ 2500 ଟଙ୍କାରେ ବିକିଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ମେଡ ଇନ ଇଣ୍ଡିଆ ନାମରେ ମିଛରେ ପ୍ରଚାର କରାଯାଉଥିବା ଅଭିଯୋଗ ହୋଇଛି । ଏହାର କେବଳ ନାମ ବଦଳାଯାଇଛି । ବାକି ସବୁ ସମାନ ଥିବା ଜଣାପଡିଛି ।
ପ୍ଲେ ଷ୍ଟୋରରେ ଆପଣ ଏହି ଆପ୍ ଦ୍ବାରା ଦିଆଯାଇଥିବା ପ୍ରାଇଭେସୀ ପଲିସି ଉପରେ କ୍ଲିକ କରିବେ ତେବେ ଆପଣଙ୍କୁ ସପକିଲର ଡଟ୍ ଇନ ନାମରେ ଏକ ଲିଙ୍କ ମିଳିବ । କିନ୍ତୁ ଏହା ଖୋଲିଲେ ବ୍ଲାଙ୍କ ଦେଖାଇବ । ଅର୍ଥାତ ଏଠାରେ କୌଣସି ପ୍ରକାର ପ୍ରାଇଭେସୀ ନାହିଁ । ଏହାର ଅର୍ଥ ମିତ୍ରୋଁରେ ଆପଣ ଅପଲୋଡ କରିଥିବା ଭିଡିଓ କେଉଁ ଉଦ୍ଦେଶ୍ୟରେ କିଏ ବ୍ୟବହାର କରିବ ତାର କୌଣସି ପ୍ରକାର ଖବର ଆପଣଙ୍କୁ ମିଳିବନି । ସବୁଠୁ ବଡ କଥା ପ୍ଲେ ଷ୍ଟୋରରେ ଏହାକୁ କିଏ କିଣି ଅପଲୋଡ କଲା ତାହା ଆଜି ଯାଏଁ ରହସ୍ୟ ହୋଇରହିଛି ।