ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପିଏଚଡି କରିଛନ୍ତି ମେହୁଲ ଚୌକସୀ । ଆଉ ଇଏ ପଳାତକ ମେହୁଲ ଚୌକସୀ ନୁହନ୍ତି, ବରଂ ଜଣେ ବିଦ୍ୟାର୍ଥୀ । ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର(ଏମଏ) ଶେଷ କରିବା ପରେ ବିଦ୍ୟାର୍ଥୀ ଜଣଙ୍କ ବୀର ନର୍ମଦା ଦକ୍ଷିଣ ଗୁଜୁରାଟ ବିଶ୍ବବିଦ୍ୟାଳରୁ ନିଜ ପିଏଚଡି ଗବେଷଣା ଆରମ୍ଭ କରିଥିଲେ । 'ନରେନ୍ଦ୍ର ମୋଦିଙ୍କ କେସ ଷ୍ଟଡି-ସରକାରରେ ନେତୃତ୍ବ' ବିଷୟକୁ ନେଇ ସେ ନିଜ ଗବେଷଣା ଥେସିସ ପ୍ରସ୍ତୁତ କରିଛନ୍ତି ।
ମେହୁଲ ୨୦୧୦ରେ ଏହି ବିଷୟକୁ ନେଇ ଥେସିସ ଲେଖିବା ଆରମ୍ଭ କରିଥିଲେ । କିନ୍ତୁ ନିଜ ନାଁ ଯୋଗୁଁ ସେ ଚର୍ଚ୍ଚାକୁ ଆସିଛନ୍ତି । କାରଣ ତାଙ୍କ ନାମ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକସୀଙ୍କ ସହ ସମାନ । ମେହୁଲ ନିଜ ଗବେଷଣା ପାଇଁ ୪୫୦ ଜଣଙ୍କ ସାକ୍ଷାତକାର ନେଇଥିଲେ । ଯେଉଁଥିରେ ସରକାରୀ କର୍ମଚାରୀ, ଚାଷୀ, ବିଦ୍ୟାର୍ଥୀ ଓ ରାଜନେତାମାନେ ସାମିଲ ଥିଲେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ ।
ତାଙ୍କ ପ୍ରଶ୍ନସୂଚୀରେ ସର୍ବମୋଟ ୩୨ଟି ପ୍ରଶ୍ନ ରଖା ଯାଇଥିଲା । ୪୫୦ ଜଣଙ୍କ ଉତ୍ତର ସଂଗ୍ରହ କରାଯାଇଥିଲା । ମୋଦିଙ୍କ ଭାଷଣ ଅଧିକ ଆକର୍ଷକ ବୋଲି 25 ପ୍ରତିଶତ ମତଦାନ କରିଥିଲେ । ଅନ୍ୟପକ୍ଷେ ୪୮ ପ୍ରତିଶତ କହିଥିଲେ ଯେ ପିଏମ ଭଲ ମାର୍କେଟିଂ କରିପାରନ୍ତି ।