ନୂଆଦିଲ୍ଲୀ: ଭାରତ-ଚୀନ ବିବାଦକୁ ନେଇ ଶାସକ ଦଳ ବିଜେପି ଏବଂ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାକୁ ନେଇ ଉଭୟ ଦଳ ଉପରେ ବର୍ଷିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଭାରତ-ଚୀନ ସୀମା ପ୍ରସଙ୍ଗରେ ପରସ୍ପର ଉପରେ ଅଭିଯୋଗ ଲଗାଇ ବିଜେପି ଏବଂ କଂଗ୍ରେସ ଦ୍ୱାରା କରାଯାଉଥିବା ରାଜନୀତି ଦେଶର ସ୍ୱାର୍ଥରେ ନାହିଁ। ଏହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ମାୟାବତୀ କହିଛନ୍ତି ।
କଂଗ୍ରେସ ଏବଂ ବିଜେପିକୁ ଟାର୍ଗେଟ କରି ସୋମବାର ମାୟାବତୀ କହିଛନ୍ତି, ଭାରତ-ଚୀନ ସୀମା ପ୍ରସଙ୍ଗରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ କରାଯାଉଥିବା ଆରୋପ ପ୍ରତ୍ୟାରୋପର ରାଜନୀତି ବର୍ତ୍ତମାନ ଠିକ୍ ନୁହେଁ । ଉଭୟ ଦଳର ପାରସ୍ପରିକ ଲଢେଇ ଭାରତୀୟଙ୍କୁ କ୍ଷତି ପହଞ୍ଚାଉଛି । ଏହି ଲଢେଇ ମାଧ୍ୟମରେ ଦେଶ ହିତର ପ୍ରସଙ୍ଗକୁ ଦବେଇ ଦିଆଯାଉଛି ।
ଏହା ବ୍ୟତୀତ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମାୟାବତୀ । ସେ କହିଛନ୍ତି, ଗୋଟିଏ ପଟେ କୋରୋନା ମହାମାରୀ ନାଗରିକଙ୍କୁ ଅସୁବିଧାରେ ପକାଇଛି । ଅନ୍ୟ ପଟେ କ୍ରମାଗତ ବୃଦ୍ଧି ପାଉଥିବା ତୈଳଦର ସେମାନଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି । କେନ୍ଦ୍ର ସରକାର ଖୁବ ଶୀଘ୍ର ଦେଶରେ ତୈଳଦରକୁ ନିୟନ୍ତ୍ରଣ କରିବା ଉଚିତ ବୋଲି ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ।