ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ସାମୁଦ୍ରିକ ଖାଦ୍ୟ ଓ ପ୍ରକ୍ରିୟାକରଣ ଶିଳ୍ପକୁ ଲକଡାଉନରୁ ବାଦ କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶାନାମାରେ ଏହା କୁହାଯାଇଛି । ଏଥିରେ ସାମୁଦ୍ରିକ ମତ୍ସ୍ୟଜୀବୀ, ମତ୍ସ୍ୟଜୀବୀ (ସାମୁଦ୍ରିକ), ସାମୁଦ୍ରିକ ମତ୍ସ୍ୟଚାଷରେ ଖାଦ୍ୟପ୍ରଦାନ, ରକ୍ଷଣାବେକ୍ଷଣ, ଅମଳ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ବିକ୍ରୟ ଓ ମାର୍କେଟିଂ ଆଦିକୁ କୋରୋନା ଭାଇରସ ଲଗଡାଉନରୁ ବାଦ ଦିଆଯାଇଛି ।
ଅନ୍ୟପକ୍ଷରେ ମତ୍ସ୍ୟ ଜାଆଁଳ, ଫିଡ୍ ପ୍ଲାଣ୍ଟ, ବାଣିଜ୍ୟିକ ଆକ୍ବାରିୟା, ମାଛ ଓ ଚିଙ୍ଗୁଡ଼ି ଚାଷରେ ନିୟୋଜିତ ଶ୍ରମିକମାନଙ୍କୁ ମଧ୍ୟ ଲକଡାଉନରୁ ଛାଡ ପାଇବେ । ତେବେ ଲକଡାଉନରୁ ବାଦ ପଡିଥିଲେ ମଧ୍ୟ ଏହି ସମସ୍ତ କ୍ଷେତ୍ରଗୁଡିକରେ କାର୍ଯ୍ୟ ସମୟରେ ସାମାଜିକ ଦୂରତା ଓ ସ୍ବଚ୍ଛତା ପାଳନ କରାଯିବା ଜରୁରୀ ବୋଲି ଏଥିରେ କୁହାଯାଇଛି।
କୋରୋନା (COVID-19) ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ ଗୃହମନ୍ତ୍ରଣାଳୟ ଏନେଇ ଏକତ୍ରିତ ନିର୍ଦ୍ଦେଶାବଳୀ ଜରିକରିଛି । ଏଥିରେ ସାମୁଦ୍ରିକ ଖାଦ୍ୟ ଓ ପ୍ରକ୍ରିୟାକରଣ ଶିଳ୍ପକୁ ଲକଡାଉନରୁ ବାଦ ଦେବା ନେଇ ପଞ୍ଚମ ନିର୍ଦ୍ଦେଶାନାମା ଜାରି କରିଛି |
ଉଲ୍ଲେଖଯୋଗ୍ୟ, ଦେଶରେ କୋରୋନା ସଂକ୍ରମଣ ରୋକିବାକୁ ଗତ ମାର୍ଚ୍ଚ 25 ତାରିଖରୁ 21 ଦିନିଆ ଲକଡାଉନ ଜାରି କରାଯାଇଛି । ସେହିପରି ଦେଶରେ ଗତ 24 ଘଣ୍ଟା ମଧ୍ୟରେ 1035 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 7447କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
@ANI