ହାଇଦ୍ରାବାଦ: ପ୍ରଦୂଷଣ ବଳୟରେ ଦିଲ୍ଲୀ । ଧିରେ ଧିରେ ପ୍ରଦୂଷଣ ଦିଲ୍ଲୀକୁ ସମ୍ପୁର୍ଣ୍ଣ ଗିଳିସାରିଲାଣି । ଏହାକୁ ନେଇ ସରକାର ଓ ସୁପ୍ରିମକୋର୍ଟ ଉଭୟ ଚିନ୍ତିତ । ପ୍ରତିବର୍ଷ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବା ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ସୁପ୍ରିମକୋର୍ଟ ମଧ୍ୟ କେତେ ଏହାକୁ ସହିବେ, ସେଥିପାଇଁ ସରକାର ଓ ଦିଲ୍ଲୀର ଆଖପାଖରେ ଅବସ୍ଥିତ ଅନ୍ୟ ରାଜ୍ୟର ସଚିବଙ୍କୁ ତାଗିଦ କରିଛନ୍ତି । ବାୟୁ ପ୍ରଦୂଷଣକୁ କେହି ବି ଗମ୍ଭୀରତାର ସହ ନେଉନଥିବାର କହିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ସରକାରଙ୍କୁ କଡା ତାଗିଦ୍ କରିବା ସହ ଯଥୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦେଇଛନ୍ତି ।
ପ୍ରଦୂଷଣର ମାତ୍ରାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍ବାସ୍ଥ୍ୟଜନିତ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି ସେଠାକାର ସରକାର । ସମସ୍ତ ନିର୍ମାଣ କାମ ମଧ୍ୟ ରୋକାଯାଇଛି । ମୁଖ୍ୟତଃ ହରିୟାଣା ଏବଂ ପଞ୍ଜାବରେ ଅଧିକ ଫସଲ ଜାଳି ନଷ୍ଟ କରିବା ସ୍ଥିତି ଉପୁଜୁଛି । ହରିୟାଣାରେ ଚାଷୀଙ୍କୁ ଫସଲ ନଷ୍ଟ କରିବା ପାଇଁ ମେସିନ୍ ମଧ୍ୟ ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ ପଞ୍ଜାବରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ।
4ବର୍ଷ ତଳେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(NGT) କହିଥିଲେ ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଫସଲ ପୋଡିବା । ଏହାକୁ ବନ୍ଦ କରିବା ଆବଶ୍ୟକ, ଏପରିକି ପଞ୍ଜାବ ଓ ହରିୟାଣାରେ ଏହାକୁ ବ୍ୟାନ କରିଥିଲେ ମଧ୍ୟ କେତେକ ସ୍ଥାନରେ ଏବେ ମଧ୍ୟ ଶସ୍ୟର ଅବଶେଷ ଜଳା ଯାଉଛି । ପରିବେଶ ସୁରକ୍ଷା ପାଇଁ କିମ୍ବା ଜାତୀୟ ସ୍ତରୀୟ କିଛି କ୍ଷତି ନହେବା ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ବଜେଟ ରଖିବା ଆବଶ୍ୟକ । ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶରେ ସର୍ବାଧିକ ଫସଲର ଅବଶେଷ ଜଳା ଯାଇଥାଏ । ତେଣୁ ସେଠାକାର ଚାଷୀ ଙ୍କୁ ଫସଲ ନଷ୍ଟ କରିବା ପାଇଁ ମେସିନ୍ ଯୋଗାଇଦେବା ଜରୁରୀ ।
ପ୍ରଦୂଷଣ କେବଳ ଦିଲ୍ଲୀ ପର୍ଯ୍ୟନ୍ତ ସୀମିତ ରହିନାହିଁ । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ, ରାଜସ୍ଥାନରେ ମଧ୍ୟ ପ୍ରଦୂଷଣଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏୟାର ଇଣ୍ଡେକ୍ସର ପରିମାଣ ଦିଲ୍ଲୀ ଅପେକ୍ଷା ଲକ୍ଷ୍ନୌ, ଗାଜିଆବାଦ୍, ବାଗପତ, ହରିୟାଣା, ମୋରାଦାବାଦ୍, ନୋଏଡା, ହାପୁଡ, କାନପୁର, ସିରସା ଆଦି ସ୍ଥାନରେ ଅଧିକ ରହିଛି । ପ୍ରଦୂଷଣ କରୁଥିବା ଇଣ୍ଡଷ୍ଟ୍ରିକୁ ବନ୍ଦ କରିବା ପାଇଁ ସେଣ୍ଟ୍ରାଲ୍ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ(CPCB)କୁ NGT କେବେଠୁ ନିର୍ଦ୍ଦେଶ ଦେଲେଣି, ମାତ୍ର ସେ ନେଇ ଏ ଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
ଯଦି ବାୟୁ ଓ ଜଳ ପ୍ରଦୂଷଣ ରୋକାନଯାଏ ତେବେ ଏସୀୟ- ପ୍ରଶାନ୍ତୀୟ କ୍ଷେତ୍ରରେ ଗମ୍ଭୀର ମାତ୍ରାରେ ଜଳବାୟୁରେ ପରିବର୍ତ୍ତନ ଆସିବ । ଏହାକୁ 25 ବର୍ଷ ପୂର୍ବେ ଏସିଆନ୍ ଡେଭେଲପମେଣ୍ଟ ବ୍ୟାଙ୍କ ଅନୁମାନ କରିସାରିଥିଲା । ରାଜସ୍ଥାନ, ଉତ୍ତରପ୍ରଦେଶ, ହରିୟାଣାରେ ଜୀବନ ସମୟ ଅବଧି ଦୁଇ ବର୍ଷ କମି ଆସିଲାଣି । ବିଷାକ୍ତ ପବନ କାରଣରୁ ପ୍ରତି 8ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଉଛି ।
ବିଶ୍ବର ପ୍ରତି ଏକ ମିଲିୟନ ଲୋକଙ୍କ ମଧ୍ୟରୁ 64 ଜଣଙ୍କ ମୃତ୍ୟୁ ବାୟୁ ପ୍ରଦୂଷଣ କାରଣରୁ ହେଉଥିବା ବେଳେ ଭାରତରେ ଏହାର ସଂଖ୍ୟା 134 ରହିଛି। ନ୍ୟାସନାଲ କ୍ଲିନ୍ ଏୟାର ପ୍ଲାନ(NKAP) ଅନୁସାରେ, ଜାନୁୟାରୀ ସୁଦ୍ଧା 102ଟି ଭାରତୀୟ ସହରରେ ସ୍ବତନ୍ତ୍ର ପ୍ଲାନ ଅଫ୍ ଆକ୍ସନର ବ୍ୟବସ୍ଥା କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୟାସରେ ବାୟୁ ପ୍ରଦୂଷଣ ସହ ମୁକାବିଲା କରାଯାଇପାରିବ।
ଚାଇନାରେ ପ୍ରଦୂଷଣକୁ ରୋକିବା ପାଇଁ ଗାଡିମୋଟର ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ପରିବେଶକୁ ସ୍ବଚ୍ଛ ରଖିବା ସହ ଏନେଇ ସଚେତନତା ସୃଷ୍ଟି କରାଯାଉଛି । ଇଣ୍ଡୋନେସିଆରେ ଗଛ ଲଗାଇବାକୁ ବିଶେଷ ଧ୍ୟାନ ଦିଆଯାଉଛି । ଡେନମାର୍କର ରାଜଧାନୀ କୋପେନହେଗେନରେ ସାଇକେଲ୍ ଚଲାଇବାକୁ ଅଧିକ ପ୍ରୋତ୍ସାହିତ କରାଯାଉଛି । ଅତୀତରୁ ଶିକ୍ଷା ଗ୍ରହଣ କରି, ନୂଆ ଟେକନୋଲୋଜିକୁ ବ୍ୟବହାର କରି ଯୁବପିଢିଙ୍କୁ ସଚେତନ କରି ଆମେ ମଧ୍ୟ ଆମ ଦେଶକୁ ପ୍ରଦୂଷଣ ମୁକ୍ତ କରିପାରିବା।