ନୂଆଦିଲ୍ଲୀ: ବିଷାକ୍ତ ବାୟୁମଣ୍ଡଳ ବଳୟରେ ଜାତୀୟ ରାଜଧାନୀ ଦିଲ୍ଲୀ । ଏଠାରେ ବାୟୁ ପ୍ରଦୂଷଣର ମାତ୍ରା କ୍ରମାଗତ ଭାବେ ବଢିବାରେ ଲାଗିଛି। ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି ସଂସଦରେ ପ୍ରତିନିଧିତ୍ବ କରୁଥିବା ସାଂସଦ । ସୋମବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଏଥିରେ ଯୋଗ ଦେବା ପାଇଁ ପ୍ରଦୂଷଣ ମୁକ୍ତ ଯାନ ସାଇକେଲରେ ସଂସଦ ପହଞ୍ଚିଛନ୍ତି କେତେକ ସାଂସଦ ।
ଏହି ଅଧିବେଶନରେ ଯୋଗ ଦେବା ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ସାଂସଦ ମନୋଜ ତିଓ୍ବାରି ସାଇକେଲ ଯୋଗେ ସଂସଦ ଭବନ ପହଞ୍ଚିଛନ୍ତି । ସେହିପରି ବିଜେପି ସାଂସଦ ମନସୁଖ ମଣ୍ଡାଭିୟା ମଧ୍ୟ ସାଇକେଲରେ ସଂସଦ ଭବନରେ ପହଞ୍ଚିଛନ୍ତି । ସେପଟେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଇଲେକ୍ଟ୍ରିକ କାର ଯୋଗେ ସଂସଦ ଭବନରେ ପହଞ୍ଚିଛନ୍ତି।
ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ର ପରିବେଶମନ୍ତ୍ରୀ କହିଛନ୍ତି ଯେ, ମୁଁ ଏହି ଇଲେକ୍ଟ୍ରିକ କାରକୁ 2 ସପ୍ତାହ ପୂର୍ବେ କିଣିଥିଲି। ଏଭଳି କାର ପ୍ରଦୂଷଣକୁ ରୋକିବାରେ ଖୁବ ସହାୟତା କରୁଛି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ସମ୍ଭବପର ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।