ଇମ୍ଫାଲ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ଚିନ୍ତାରେ ସରକାର । ଏପଟେ ରାଜ୍ୟରେ କୋରୋନା ବିସ୍ତାରକୁ ରୋକିବା ପାଇଁ ଅଗଷ୍ଟ 31 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ମଣିପୁର ସରକାର । ଗତକାଲି(ଶନିବାର) 192 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ମୋଟ ସଂକ୍ରମଣ ସଂଖ୍ୟା 4,390କୁ ବୃଦ୍ଧି ପାଇଛି । ଏପରିକି ରାଜ୍ୟ ବାହାରେ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ଲୋକଙ୍କ ମଧ୍ୟରେ ମଧ୍ୟ କୋରୋନା ଭୂତାଣୁ ଦେଖା ଦେଉଛି । ଯାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି ।
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 78 ଜଣ ସୁସ୍ଥ ହେବା ପରେ ମୋଟ ସୁସ୍ଥ ହାର 55.53 ପ୍ରତିଶତକୁ ବୃଦ୍ଧି ପାଇଛି। ମଣିପୁରରେ ବର୍ତ୍ତମାନ 1,939ଟି ସକ୍ରିୟ ମାମଲା ରହିଛି। ଏପର୍ଯ୍ୟନ୍ତ 13 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି।