ହାଇଦ୍ରାବାଦ: ନେଲୋର ଜିଲ୍ଲାର ଗୋଟାଲାପଲେମ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀକୁ ଜୀବନ୍ତ କବର ଦେଲା ସ୍ବାମୀ ।
ପୋଲିସ ସୂଚନାନୁସାରେ, ପୋନୁରୁ ସୁଭାଷିନୀ (37) ତାଙ୍କ ତୃତୀୟ ସ୍ୱାମୀ ବୁଦାବୁକାଲା ସ୍ବାମୁଲୁ (30)ଙ୍କ ସହ ଗୋଟାଲାପଲେମ ଗ୍ରାମରେ ରହୁଥିଲେ। 27 ତାରିଖ ରାତିରେ ଏହି ଦମ୍ପତି ମଦ ପିଇ କିଛି ଘରୋଇ ପ୍ରସଙ୍ଗରେ ଝଗଡା କରିଥିଲେ। କ୍ରୋଧିତ ସ୍ୱାମୀ ପତ୍ନୀଙ୍କୁ ବାଡିରେ ମାରିବା ସହ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ଏବଂ ଶେଷରେ ସୁଭାଷିନୀ ଚେତା ହରାଇ ତଳେ ପଡ଼ିଯାଇଥିଲେ । ପରେ ବୁଦାବୁକାଲା ନିକଟରେ ଏକ ଗାତ ଖୋଳି ଜୀବିତ ଅବସ୍ଥାରେ ଥିବା ସୁଭାଷିନୀଙ୍କୁ କବର ଦେଇଥିଲେ । ତା ପରେ ଘରେ ଥିବା 7 ବର୍ଷର ଝିଅକୁ ଧମକ ଦେଇ ଫେରାର ହୋଇ ଯାଇଥିଲେ ବୋଲି ସୁଭାଷିନୀଙ୍କ ଝିଅ ପୋଲିସ ଆଗରେ ସୂଚନା ଦେଇଛି ।
କୋଡାଭାଲୁରୁ ସର୍କଲ ଇନ୍ସପେକ୍ଟର ଶ୍ରୀନିବାସ ରାଓ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ନେଲୋର ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଫେରାର ଥିବା ଅଭିଯୁକ୍ତକୁ ଖୋଜୁଛି । ଏବଂ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ବୋଲି ଏସଆଇ ପ୍ରତାପ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ