ଲକ୍ଷ୍ନୌ: ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିବାକୁ ଧମକ ଦେଇ ଉତ୍ତରପ୍ରଦେଶ କାନପୁର ପୋଲିସ ହାତରେ ଗିରଫ ହୋଇଛି ଜଣେ ଉନ୍ମୁକ୍ତ ଯୁବକ । ସହରର ପୋଲିସ କଣ୍ଟ୍ରୋଲ ରୁମ, ରେଲଓ୍ବେ ଷ୍ଟେସନ, ହସ୍ପିଟାଲ ଓ ବିଭିନ୍ନ ରେଷ୍ଟୁରାଣ୍ଟକୁ ବିସ୍ଫୋରଣରେ ଉଡାଇ ଦେବାପାଇଁ ଧମକ ଦେବା ପରେ ପୋଲିସ ଉକ୍ତ ଯୁବକକୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି । ଗିରଫ ଯୁବକ ନିକଟରୁ ନକଲି ପରିଚୟ ପ୍ରମାଣ ପତ୍ର ଜବତ କରିଛି ପୋଲିସ । ସେହିପରି ସେ ଜାଲ ଫେସବୁକ ଆଇଡି ବ୍ୟବହାର କରୁଥିବା ମଧ୍ୟ ପୋଲିସ ସୂଚନା ଦେଇଛି । ତେବେ ଯୁବକ ଜଣଙ୍କ କାହିଁକି ଏପରି ଉନ୍ମକ୍ତ କାଣ୍ଡ କରିବାକୁ ଧମକ ଦେଲା ସେନେଇ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।
ଉନ୍ମୁକ୍ତ ଯୁବକ ଠାରୁ ଏପରି ଧମକ ପାଇବା ପରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ଯୁବକକୁ ଠାବ କରିବା ପାଇଁ ଅପରେସନ ଆରମ୍ଭ କରାଯାଇଥିଲା । ପରେ ପୋଲିସ ଯୁବକ ଜଣଙ୍କ ମୋବାଇଲର ଲୋକେସନକୁ ଟ୍ରାକ କରି ତାକୁ ଠାବ କରିବା ସହ ତାକୁ ଗିରଫ କରିବାରେ ସଫଳ ହୋଇଛି ।
ଗିରଫ ଯୁବକ ବିରୋଧରେ କାନପୁର ପୋଲିସ ଅଧିକ ପଚରାଉଚରା କରିବା ସହ ରେଳବାଇ ପୋଲିସ ମଧ୍ୟ ମାମଲା ଦାୟର କରିଥିବା ଜଣା ପଡିଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ