କୋଲକାତା: ପୁଣି CAA କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି, ‘ମୁଁ ଭାରତୀୟ ଜନତା ପାର୍ଟିକୁ କହିରଖୁଛି ସେ ଏହି ଆଇନକୁ ନ ଫେରାଇ ଏପରି ଆଗକୁ ନ ଖେଳନ୍ତୁ । ତେଣୁ ସମୟ ଥାଉ ଥାଉ ଏହି ଆଇନକୁ ଫେରାଇ ନିଅନ୍ତୁ ।’
ଗତ ଗୁରୁବାର ଏକ ସଭାକୁ ସମ୍ବୋଧନ କରି ମମତା ବାନାର୍ଜୀ କହିଥିଲେ, ଯେପର୍ଯ୍ୟନ୍ତ ନାଗରିକତା ସଂଶୋଧନ ଆଇନ କେନ୍ଦ୍ର ସରକାର ଫେରାଇ ନ ନିଅନ୍ତି ସେପର୍ଯ୍ୟନ୍ତ ଆମେ ଏହିପରି ଶାନ୍ତିପୂର୍ଣ୍ଣ ଧାରଣାରେ ବସିରହିବୁ ।
ଏଥିସହ ସେ ଏହି ସଭାରେ ୟେଦିରୁପ୍ପା ସରକାରଙ୍କ ମାଙ୍ଗାଲୋରରେ ହୋଇଥିବା ହିଂସାରେ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ନଦେବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଏଥିସହ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଉକ୍ତ ପରିବାରକୁ ସହାୟତା ପ୍ରଦାନ ନିମନ୍ତେ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।
ଏହାଛଡା ମମତା ବାନାର୍ଜୀ CAA ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ବିଜେପି ଧମକାଉଥିବା ନେଇ ଅଭିଯୋଗ ଆଣିଛନ୍ତି । ଏଥିଯୋେଗୁଁ ଆମେ ଜାମିଆ ମିଲିଆ ଇସଲାମିକ ୟୁନିଭରସିଟି, ଆଇଆଇଟି କାନପୁର ଏବଂ ଅନ୍ୟ ବିଶ୍ବବିଦ୍ୟାଳୟ ଛାତ୍ରମାନଙ୍କ ସହିତ ଅଛୁ ବୋଲି ମମତା କହିଛନ୍ତି ।