ଜୟପୁର: ରାଜସ୍ଥାନର ରାଜନୈତିକ ଡ୍ରାମା ଥମିବାର ନାଁ ନେଉନାହିଁ । ରାଜ୍ୟ ରାଜନୀତିରେ ଚାଲିଥିବା 'କ୍ଷମତା ଯୁଦ୍ଧ' ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । କଂଗ୍ରେସର ବିଧାୟକ କିଣାବିକାକୁ ନେଇ ଦଳ ପକ୍ଷରୁ ଜାରି ହୋଇଥିବା ଅଡିଓ କ୍ଲିପ ମାମଲା ଏବେ ରାଜସ୍ଥାନର ଆଣ୍ଟି କରପସନ ବ୍ୟୁରୋ (ଏସିବି) ନିକଟରେ ପହଞ୍ଚିଛି । ଏନେଇ ଏସିବିରେ ମାମଲା ରୁଜୁ ହୋଇଥିବା ଶନିବାର ଏସିବିର ମହାନିର୍ଦ୍ଦେଶକ ଆଲୋକ ତ୍ରିପାଠୀ ସୂଚନା ଦେଇଛନ୍ତି ।
ରାଜସ୍ଥାନ ବିଧାନସଭାର ମୁଖ୍ୟ ସଚେତକ ମହେଶ ଯୋଶୀ ଅଡିଓ କ୍ଲିପ ମାମଲାକୁ ନେଇ ଏସିବିରେ ଏଫଆଇଆର ରୁଜୁ କରିଛନ୍ତି । ରାଜସ୍ଥାନର କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭିତ କରାଯାଉଥିବା ନେଇ ସେ ଜୁନ 10 ରେ ଏଫଆଇଆର ରୁଜୁ କରିଥିଲେ । ତେବେ ସେହି ଅଭିଯୋଗରେ ସେ କାହା ନାଁ ସ୍ପଷ୍ଟ କରିନଥିଲେ । କିନ୍ତୁ ଶୁକ୍ରବାର ଯୋଶୀ ନିଜ ବୟାନ ଜାରି କରି ଭଓଁର ଲାଲ, ସଞ୍ଜୟ ଜୈନ ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହଙ୍କ ନାମ ନେଇଛନ୍ତି ।
ତେବେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଏଫଆଇଆର ପଞ୍ଜିକୃତ କରାଯାଇଥିବା ଆଲୋକ ତ୍ରିପାଠୀ କହିଛନ୍ତି । ଅଡିଓ କ୍ଲିପଗୁଡିକ ଯାଞ୍ଚ ପାଇଁ ଏଫଏସଏଲ କୁ ପଠାଯିବ । ରିପୋର୍ଟ ଆସିବା ପରେ ଏବଂ ଏହାର ତଦନ୍ତ ହେବା ପରେ ଅଭିଯୁକ୍ତମାନଙ୍କ ଭଏସ୍ର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗୁରୁବାର ଅଶୋକ ଗେହଲଟଙ୍କ ଗୋଷ୍ଠୀ ଏକ ଅଡିଓ କ୍ଲିପ ଜାରି କରିଥିଲା । ଯେଉଁଥିରେ ଗେହଲଟ ସରକାରଙ୍କୁ ଭାଙ୍ଗିବା ପାଇଁ ବିଧାୟକ ଭଓଁର ଲାଲ ଶର୍ମା ବିଜେପି ସହ କଥା ହେଉଥିବା କଂଗ୍ରେସ ଦାବି କରିଛି । ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମଧ୍ୟ ସମ୍ପୃକ୍ତ ଥିବା କଂଗ୍ରେସ ଦାବି କରିଛି । ଏହି ଅଡିଓ କ୍ଲିପ ହିନ୍ଦୀ, ଇଂରାଜୀ ଏବଂ ମାରଓ୍ୱାଡି ଭାଷାରେ ଥିବା ସୂଚନା ରହିଛି। ମୋଟ୍ ତିନୋଟି ଅଡିଓ କ୍ଲିପ ଗେହଲଟ କ୍ୟାମ୍ପ ପ୍ରେସ କନଫରେନସ କରି ଜାରି କରିଛି ।