ହାଇଦ୍ରାବାଦ: ମନ୍ୟୁଷର ଆଚାର ବ୍ୟବହାର ଲୋକଙ୍କୁ ଯୋଡେ । ଲୋକଙ୍କୁ ବିଭାଜିତ କରେ । ସମାଜକୁ ଭାଙ୍ଗେ, ସମାଜକୁ ଗଠନ କରେ । ତେବେ ଭଲ କଥା ଲୋକଙ୍କୁ ଯୋଡୁଥିବାବେଳେ ହିଂସାତ୍ମକ କଥା ସଂଘର୍ଷର ସୂତ୍ରଧର ସାଜେ । ସଂଘର୍ଷ ଆରମ୍ଭରୁ ବିଜୟ ଲାଭ କରେ ସତ ହେଲେ ଶାନ୍ତି ସବୁବେଳେ ଶେଷରେ ମିଳେ । ଯାହାକି ଗାନ୍ଧୀବାଦରୁ ଶିକ୍ଷା ମିଳିଥାଏ । ଗାନ୍ଧୀବାଦ ମତରେ ଜଣେ ଭଲ ଯୋଗାଯୋଗକାରୀ ହିଁ ଲୋକଙ୍କୁ ଲୋକଙ୍କ ସହ ଯୋଡିଥାଏ ।
ତେବେ ମହାତ୍ମା ଗାନ୍ଧୀ ଜଣେ ଏଭଳି ଯୋଗାଯୋଗକାରୀ ଥିଲେ ଯେକି ଲୋକଙ୍କୁ କେବଳ ସ୍ବାଧୀନତା ଆନ୍ଦୋଳନରେ ଯୋଡିଥିଲେ ତା ନୁହେଁ ସେ ମଧ୍ୟ ଯୋଗାଯୋଗର ସଜ୍ଞା ବଦଳାଇ ଦେଇଥିଲେ । ସେ କେବଳ କହିବାରେ ନୁହେଁ ନିଜ କାର୍ଯ୍ୟରେ ମଧ୍ୟ ଲୋକଙ୍କୁ ଲୋକଙ୍କ ସହ ଯୋଡିପାରିଥିଲେ ।
ବାପୁ ଜଣେ ପ୍ରକୃତ ବକ୍ତା ଓ ଲେଖକ ଥିଲେ । ଯେକି ନିଜର କଥା ଓ ଲେଖା ମାଧ୍ୟମରେ ଲୋକଙ୍କ ସହ ଯୋଡିହୋଇ ରହୁଥିଲେ । ସେ ତାଙ୍କ କଥା ମାଧ୍ୟମରେ ସ୍ବାଧୀନତା ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ କରୁଥିଲେ । ତାଙ୍କ ବକ୍ତବ୍ୟ ଲୋକଙ୍କୁ ଅହିଂସା ଦିଗରେ ଅନୁପ୍ରାଣିତ କରୁଥିଲା । ଗାନ୍ଧୀ ଏପରି ଜଣେ ପ୍ରବକ୍ତା ଥିଲେ ଯେ ନିଜ ବକ୍ତବ୍ୟରେ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଏକଜୁଟ କରିପାରୁଥିଲେ । ଲୋକଙ୍କ ସମସ୍ୟା ସହ ଜଟିତ ହୋଇ ଗାନ୍ଧୀ ଏହାକୁ ନିଜ ବକ୍ତବ୍ୟରେ ସ୍ଥାନୀତ କରୁଥିଲେ ।
ବାପୁ କେବଳ କହୁନଥିଲେ ସେ ଏପରି କିଛି କାର୍ଯ୍ୟ କରୁଥିଲେ ଯାହା ଫଳରେ ତାଙ୍କୁ ଅନୁକରଣ କରି ଲୋକେ ସେହି କାମ କରୁଥିଲେ । ଏହା ଏକ ପ୍ରକାର ସାଙ୍କେତିକ ଯୋଗଯୋଗ ମଧ୍ୟ ଥିଲା । ଯାହା ଭିତରେ ଚରଖା ତିଆରି ଖଦି, ଲବଣ ସତ୍ୟାଗ୍ରହ ଭଳି ଅନେକ ପ୍ରସଙ୍ଗ ଥିଲା ।
ତାଙ୍କର ସ୍ବାଧୀନତା ସଂଗ୍ରାମର ସଂଘର୍ଷ କେବଳ ବକ୍ତବ୍ୟ ଓ ଲେଖାଲେଖିରେ କଟିନଥିଲା । ଅନେକ ସମୟରେ ନିଜେ ଉପବାସ କରି ମଧ୍ୟ ଲୋକଙ୍କ ଦ୍ବାରା ଅନେକ କଥା ସେ କରାଇପାରୁଥିଲେ । ଏହାସହ ଗାନ୍ଧୀଙ୍କ ସରଳ ଜୀବନଯାପନ ମଧ୍ୟ ଲୋକଙ୍କୁ ଆକର୍ଷିତ କରିଥିଲା ତାଙ୍କ କଥାକୁ ମାନିବାରେ । ସେ ଏପରି ବ୍ୟକ୍ତି ଥିଲେ ଯେ ଯାହା କହୁଥିଲେ ନିଜେ ପ୍ରଥମେ ତାହା କରି ଦେଖାଉଥିଲେ ।
ଗାନ୍ଧୀ ଏପରି କଥା କହୁଥିଲେ ଯେ, ତାଙ୍କ କଥା ଶୁଣିବାକୁ ହଜାର ହଜାର ସଂଖ୍ୟାରେ ଲୋକେ ରୁଂଢ ହେଉଥିଲେ । ଏହାସହ ସେ ଯାହା କହୁଥିଲେ ତାକୁ ଲୋକମାନେ କାର୍ଯ୍ୟରେ ପରିଣତ କରୁଥିଲେ । ତେବେ ତାଙ୍କ ସଭାରେ ଆଉ ଏକ କଥା ଦେଖିବାକୁ ମିଳେ । ଲୋକମାନଙ୍କ ଅତ୍ୟଧିକ ସାମିଲ ଫଳରେ ତାଙ୍କ କଥା ଅନେକ ବାଟ ପର୍ଯ୍ୟନ୍ତ ଶୁଭେ ନାହିଁ କିନ୍ତୁ ତାଙ୍କୁ ଶୁଣୁଥିବା ଲୋକମାନେ ତାଙ୍କୁ ଶୁଣିପାରୁନଥିବା ଲୋକଙ୍କ ପାଖରେ ଗାନ୍ଧୀଙ୍କ ବକ୍ତବ୍ୟକୁ ପହଞ୍ଚାନ୍ତି । ଯାହାକି ଆଉ ଏକ ଯୋଗାଯୋଗର ଉଦାହରଣ ।
ସେ ହିଂସାକୁ ରୋକିବା ପାଇଁ ସର୍ବଦା ଅହିଂସା ନୀତି ଅବଲମ୍ବନ ରହୁଥିଲେ । ଏହାସହ ସେ ସର୍ବଦା ସତ୍ୟ ପାଇଁ ଲଢେଇ କରୁଥିଲେ । ତେବେ ତାଙ୍କର ସାଙ୍କେତିକ ଯୋଗାଯୋଗ କାରଣରୁ ତାଙ୍କୁ ସବୁ ଭାଷାର ଲୋକେ ସହଜରେ ମାନିଯାଉଥିଲେ । ଗାନ୍ଧୀଙ୍କ ମତରେ,‘ତୁମ ଚିନ୍ତାଧାର ସକରାତ୍ମକ କର, କାରଣ ତୁମ ଚିନ୍ତାଧାରାହିଁ ତୁମ ଶବ୍ଦ ହେବ । ତୁମ ଶବ୍ଦ ସକରାତ୍ମକ କର, କାରଣ ତୁମ ଶବ୍ଦ ତୁମ ବ୍ୟବହାରରେ ପ୍ରତିଫଳିତ ହେବ । ତୁମ ବ୍ୟବହାର ସକରାତ୍ମକ କର, କାରଣ ତୁମ ବ୍ୟବହାର ତୁମ ଅଭ୍ୟାସରେ ପରିଣତ ହେବ । ତୁମ ଅଭ୍ୟାସ ସକରାତ୍ମକ କର, କାରଣ ତୁମ ଅଭ୍ୟାସ ତୁମର ମୂଲ୍ୟବୋଧ ଜଣାଇବ । ତୁମ ମୂଲ୍ୟବୋଧ ସକରାତ୍ମକ କର, କାରଣ ତୁମ ମୂଲ୍ୟବୋଧ ତୁମ ଭାଗ୍ୟ ନିର୍ଦ୍ଧାରଣ କରିବ ।’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ