ମୁମ୍ବାଇ: ଦେଶରେ ଲକଡାଉନ୍ ସ୍ଥିତି ମଧ୍ୟରେ ଲୋକ ହିଂସା କରିବାକୁ ପଛାଉ ନାହାଁନ୍ତି । ଗୋଟେ ପଟେ ଦେଶ ଭୟାନକ ରୋଗ ସହ ଲଢୁଥିବା ବେଳେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଭିନ୍ନ ହିଁ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ 200ରୁ ଅଧିକ ଲୋକଙ୍କ ଭିଡ ହିିଂସାରେ 2 ସାଧୁ ଓ ଜଣେ ଡ୍ରାଇଭରକୁ ପିଟିପିଟି ହତ୍ୟା କରାଯାଇଛି । ଏହି ନିର୍ମମ ହତ୍ୟାରେ ମହାରାଷ୍ଟ୍ର ସରକାର ପ୍ରାୟ 101ଜଣଙ୍କୁ ଗିରଫ କରିଛି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି ଏହି ସୂଚନା ଦିଆଯାଇଛି । 3 ଜଣଙ୍କୁ ହତ୍ୟା କରିବା ସମେତ ଏହି ଭିଡରେ ପୋଲିସଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଘଟଣାକୁ ନିନ୍ଦନୀୟ ବୋଲି ସ୍ବୀକାର କରି ଅପରାଧିଙ୍କୁ କଠୋର ଦଣ୍ଡ ଦିଆଯିବା ନେଇ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ମୁମ୍ବାଇର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖ ଟ୍ବିଟ କରି 101 ଜଣ ଗିରଫ ହୋଇଥିବା ସୂଚନା ଦେଇଥିଲେ । ଏହାସହ ପୂର୍ବମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ମାନବ ସମାଜ ପାଇଁ ଲଜ୍ଜାର ବିଷୟ ଓ ଏହାର ଉଚ୍ଚସ୍ତରୀୟ ଯାଞ୍ଚର ଦାବି କରିଛନ୍ତି। ଫଡନାଭିସ୍ କହିଛନ୍ତି, ‘ପାଲଘର ମୋବ ଲିଚିଂ କରିବା ଅତ୍ୟନ୍ତ ନିଷ୍ଠୁର ଏବଂ ଏକ ଗମ୍ଭୀର ବିଷୟ। ଏହା ଆମକୁ ଅଧିକ ଚକିତ କରିଛି ଯେ, ଯେଉଁଭଳି ଭାବେ ଲାଠି ଧରି ଏକାଠି ହୋଇଥିବା ଲୋକଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ’।
ସେ କହିଛନ୍ତି, ‘ଯେଉଁଭଳି ଭାବେ ପୋଲିସ ମୋବର ଶିକାର ହେବାକୁ ଛାଡିଦେଲା ଓ ଭିଡକୁ ହିଂସା କରିବାକୁ ଅନୁମତି ଦେଲା, ତାହାଠାରୁ ଅଧିକ ଲଜ୍ଜାଜନକ କଣ ହୋଇପାରେ ’ । ସେ କହିଛନ୍ତି ଯେ, ସତ୍ୟକୁ ବାହାରକୁ ଆଣିବା ପାଇଁ ଏକ ଉଚ୍ଚ ସ୍ତରୀୟ ନିର୍ଦ୍ଦେଶ ଦିଆଯାଉ। ବିଜେପି ସାଂସଦ ସ୍ବାଧି ପ୍ରଜ୍ଞା ଟ୍ବିଟ କରି ମର୍ମାହାତ ଥିବା ସୂଚନା ଦେଇଥିଲେ । ଏହା ସହ ସନ୍ୟାସୀଙ୍କୁ ହତ୍ୟା ସନାତନ ଧର୍ମ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ସ୍ବାଧି । ବିଜେପି ସାଂସଦ ଗୌତମ ଗମ୍ଭୀର ମଧ୍ୟ ଏହାକୁ ମଣିଷ ବେଶରେ ବୁଲୁଥିବା ପଶୁଙ୍କ ଅମାନବିୟ କାଣ୍ଡ ଓ ବର୍ବରତା ବୋଲି କହିଛନ୍ତି ।
ପ୍ରକାଶଥାଉକି, ମୃତ 3ଜଣ ନାସିକ ଯାଉଥିଲେ । ସେହି ସମୟରେ ଦାଭଡି ଖାନୱେଲ ରୋଡ ସ୍ଥିତ ଏକ ଆଦିବାସୀ ଗ୍ରାମର 200 ଲୋକ ସେମାନଙ୍କୁ ଲୁଟେରା ଭାବି ପଥର ମାରିଥିଲେ ଓ ସେମାନଙ୍କ ଗାଡିକୁ ଅଟକାଇଥିଲେ । ଏହାପରେ ସେମାନଙ୍କୁ ଲାଠିରେ ପିଟିପିଟି ହତ୍ୟା କରାଯାଇଥିଲା ।