ହାଇଦ୍ରାବାଦ: ଭାରତ-ଚୀନ ସଂଘର୍ଷରେ ଶହୀଦ ହୋଇଥିବା କର୍ଣ୍ଣେଲ ବି ସନ୍ତୋଷ ବାବୁଙ୍କ ପରିବାରକୁ 5 କୋଟି ଟଙ୍କା ସହାୟତା ରାଶୀ ଘୋଷଣା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ । ଏହା ସହିତ ରାଜ୍ୟ ସରକାର ତାଙ୍କ ପରିବାରର ଜଣେ ସଦସ୍ୟକୁ ଚାକିରୀ ଏବଂ ବାସଭବନ ପ୍ରଦାନ କରିବେ । ତେବେ ମୁଖ୍ୟ ମନ୍ତ୍ରୀ ଖୁବ ଶୀଘ୍ର ଶହୀଦଙ୍କ ପରିବାରକୁ ଭେଟିବେ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଚେକ ପ୍ରଦାନ କରିବେ ବୋଲି ଜଣା ପଡିଛି ।
ଏହା ବ୍ୟତୀତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏହି ସଂଘର୍ଷରେ ଶହୀଦ ହୋଇଥିବା ଅନ୍ୟ 19 ଯବାନଙ୍କ ପରିବାରକୁ ମଧ୍ୟ ସହାୟତା ରାଶି ପ୍ରଦାନ କରିବେ । ସେମାନଙ୍କ ପରିବାରକୁ ସେ 10 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବେ ବୋଲି ଜଣାପଡିଛି । ଏହି ରାଶୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଜରିଆରେ ଶହୀଦଙ୍କ ପରିବାରକୁ ଯୋଗାଇ ଦିଆଯିବ ।
ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ କର୍ଣ୍ଣେଲ ବି ସନ୍ତୋଷ ବାବୁଙ୍କ ସମେତ 20 ଯବାନ ଶହୀଦ ହୋଇଥିଲେ ।