ଲକ୍ଷ୍ନୌ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ଗୁରୁତ୍ବପୂର୍ଣ୍ଣ ମିଶନ୍ ଚନ୍ଦ୍ରଯାନ-୨ ଉପରେ ରହିଛି ପୁରା ବିଶ୍ବର ନଜର । ଭାରତ 10 ବର୍ଷ ଭିତରେ ଚନ୍ଦ୍ରପୃଷ୍ଠକୁ ତା’ର ଦ୍ବତୀୟ ମିଶନ ପଠାଇବାକୁ ଯାଉଛି । ଜୁଲାଇ 15 ତାରିଖରେ ଉତ୍କ୍ଷେପଣ ହେବ ଏହି ମିଶନ । ଯାହା ଚନ୍ଦ୍ରର ଅନ୍ଧକାର ପାର୍ଶ୍ବ ଉପରୁ ଅନେକ ଅଜ୍ଞାତ ରହସ୍ୟ ଖୋଲିବ । ତେବେ ଆଇଆଇଟି କାନପୁର ଏହି ମିଶନରେ ଇସ୍ରୋକୁ ଟେକ୍ନିକାଲ ସହଯୋଗ କରୁଛି ।
ମିଶନରେ ବ୍ୟବହୃତ 'ଲୁନାର ରୋଭର' କୁ ଆଇଆଇଟି କାନପୁର ଦ୍ବାରା ବିକଶିତ କରାଯାଇଛି । ଚନ୍ଦ୍ରଯାନ-2 ପାଇଁ ସଂସ୍ଥାନ ଦ୍ବାରା ବିକଶିତ ଲୁନାର ରୋଭର ଏହି ମିଶନ୍ର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଅଟେ । ଏହା ଚନ୍ଦ୍ରଯାନ-2କୁ ଚନ୍ଦ୍ରମାର ଭୂପୃଷ୍ଠରେ ଠିକ୍ ସ୍ଥାନରେ ଅବତରଣ କରିବାରେ ସାହାଯ୍ୟ କରିବ ।
ତେବେ ଏହି ଲୁନାର ରୋଭରକୁ ଆଇଆଇଟି କାନପୁରର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ସିନିଅର ପ୍ରଫେସର କେଏ ଭେଙ୍କେଟେସ ଏବଂ ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଆଶିଷ ତତ୍ତା ଦ୍ବାରା ବିକଶିତ କରାଯାଇଛି ।
'ଲୁନାର ରୋଭର'କୁ ନିର୍ମାଣ କରିବାକୁ 2 ବର୍ଷ ସମୟ ଲାଗିଥିଲା । ଏଥିରେ ପାଖାପାଖି 50 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣା ପଡିଛି । ସୂଚନା ଯୋଗ୍ୟ ଯେ, ବିଶ୍ବରେ ପ୍ରଥମ ଥର ପାଇଁ ଭାରତ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବ ବା ଦକ୍ଷିଣ ମେରୁ ସମ୍ବନ୍ଧରେ ଗବେଷଣା କରିବାକୁ ଯାଉଛି ।