ଲକ୍ଷ୍ନୌ: ନିୟମ ସମସ୍ତଙ୍କ ପାଇଁ ସମାନ ଥିବା ବେଳେ ଏହା ବଡ ବଡିଆ ବାବୁ ଅଫିସରଙ୍କ କ୍ଷେତ୍ରରେ ଲାଗୁ ନହୋଇ କେବଳ ସାଧାରଣ ଲୋକଙ୍କ କ୍ଷେତ୍ରରେ ଲାଗୁ ହୋଇ ଆସୁଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଲକ୍ଷ୍ନୌର ପୋଲିସ ଲାଇନରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ରାସ୍ତାରେ ଛିଡା ହୋଇ ସାଧାରଣ ଲୋକଙ୍କ ଚାଲାଣ କାଟୁଥିବା ପୋଲିସଙ୍କର ଆଜି ନିଜର ଚାଲାଣ କଟିଥିବା ଖବର ସମ୍ନାକୁ ଆସିଛି । କେବଳ ଜଣେ କି 5 ଜଣ ନୁହେଁ, 305 ଜଣ ପୋଲିସ କର୍ମୀଙ୍କ ଚାଲାଣ କଟିଛି ।
କୁହାଯାଏ ଦୁନିଆକୁ ବଦଳାଇବାକୁ ଚାହୁଁଥିଲେ ପ୍ରଥମେ ନିଜକୁ ବଦଳାଇବାକୁ ପଡେ । ଏହି କଥାକୁ ଆଦର୍ଶ ମାନି ଲକ୍ଷ୍ନୌ ଟ୍ରାଫିକ ପୋଲିସ ସମାଜକୁ ଏକ ଉଦାହରଣ ଦେବାକୁ ଯାଇ ନିୟମ ଉଲଙ୍ଘନ କରିଥିବା 305 ପୋଲିସକର୍ମୀଙ୍କ ଚାଲାଣ କାଟିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଚାଲାଣ କଟାଯାଇଥିବା ପୋଲିସକର୍ମୀଙ୍କ ମଧ୍ୟରୁ 155 ଜଣ ଟ୍ରାଫିକ ପୋଲିସ କର୍ମଚାରି ଅଛନ୍ତି ।
ଚାଲାଣ କଟାଯାଇଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ପୁରୁଷ କନେଷ୍ଟବଳ ଏବଂ ଇନସପେକ୍ଟର ସ୍ତରର ପଦରେ ଥିବା ବେଳେ ସମସ୍ତେ ଦୁଇ ଚକିଆ ଯାନରେ ବିନା ହେଲମେଟରେ ଯାତ୍ରା କରୁଥିଲେ। ଶୁକ୍ରବାର ଲକ୍ଷ୍ନୌର ଚାରବାଗଠାରୁ ପଲିଟେକନିକ ପର୍ଯ୍ୟନ୍ତ 10 କିଲୋମିଟର ରାସ୍ତାରେ ଉତ୍ତରପ୍ରଦେଶ ଡିଜିପି ଓପି ସିଂହଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଚଳାଯାଇଥିବା ବେଳେ ପ୍ରଥମ ଦିନରେ ନିୟମ ଉଲଙ୍ଘନକାରୀ ପୋଲିସ କର୍ମଚାରୀଙ୍କଠାରୁ 1 ଲକ୍ଷ 38 ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ଲକ୍ଷ୍ନୌ ଏଏସପି କଳାନିଧି ନୈଥାନି କହିଛନ୍ତି ।