ନୂଆଦିଲ୍ଲୀ: ଗତକାଲି ପୁଲୱାମା ଠାରେ ହୋଇଥିବା ଜୈସ-ଇ-ମହମ୍ମଦ(ଜେଇଏମ) ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ହମଲାରେ ଥରି ଉଠିଛି ଦେଶ। ସମଗ୍ର ବିଶ୍ୱବ୍ୟାପୀ ଏଭଳି ଘଟଣାର ନିନ୍ଦା କରାଯାଇଛି। ଏହି ଘଟଣା ପରେ କାଶ୍ମୀର ଘାଟିରେ ସୁରକ୍ଷା ସ୍ଥିତିକୁ ନେଇ ଆଜି (ଶୁକ୍ରବାର) କ୍ୟାବିନେଟ ସୁରକ୍ଷା ସମିତିରି(ସିସିଏସ) ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ପ୍ରତିରକ୍ଷା, ଗୃହ, ବିଦେଶ ଏବଂ ଅର୍ଥ ବିଭାଗର ବିଭାଗୀୟ ମନ୍ତ୍ରୀ ପ୍ରମୁଖ ଯୋଗଦେବେ। ସିସିଏସ ରାଷ୍ଟ୍ରୀୟ ସୁରକ୍ଷା ଏବଂ ସାମରିକ ମାମଲାରେ ନିଷ୍ପତ୍ତି ନେଇଥାଏ। ପୁଲୱାମା ଆକ୍ରମଣକୁ ନେଇ ଆଗାମୀ ରଣନୀତି କଣ ହେବ ତାହା ଆଜିର ଏହି ବୈଠକରେ ନିଷ୍ପତ୍ତି ନିଆଯିବ।
ସୁରକ୍ଷା ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ଗସ୍ତର ଅଛନ୍ତି। ଅନ୍ୟପଟେ ଜାମ୍ମୁକାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ସେଠାରେ ପହଞ୍ଚିବେ। ସିସିଏସ ବୈଠକରେ ଯୋଗଦେବା ପାଇଁ ସ୍ୱିଡେନରୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବିଦେଶମନ୍ତ୍ରୀ।