ଭୋପାଳ: ଚାରିଆଡେ ଏବେ କୋରୋନା ଭୟ। ଜୀବନ ଧୀରେ ଧୀରେ ଲକଡାଉନ ପର୍ଯ୍ୟାୟରୁ ଅନଲକ ସ୍ଥିତିକୁ ଗତି କରୁଛି। ତେବେ ଏହି ସମୟ ଭିତରେ ଧରାପୃଷ୍ଠରେ ବିରାଜମାନ କରିଛନ୍ତି ଗଜାନନ। କଟକଣାରେ ହାତଗଣତି ସ୍ଥାନରେ ଚାଲିଛି ବାପ୍ପାଙ୍କ ପୂଜା। ତେବେ ଏହା ଭିତରେ ରାସ୍ତା ଉପରକୁ ଅମାନିଆଙ୍କୁ ବୁଝାଇବାକୁ ଓ ସୁରକ୍ଷାର ମନ୍ତ୍ର ଦେବାକୁ ଓହ୍ଲାଇଛନ୍ତି ଗଣପତି।

ଗଣେଶ ଭଗବାନ ଭୋପାଳ ବେତୁଲ ଛକ ଠାରେ ଟ୍ରାଫିକ ପୋଲିସ ପୋଷାକରେ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଥିଲେ। ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ,କିନ୍ତୁ ପରେ ସମସ୍ତେ ଅନୁଭବ କରିଥିଲେ ଯେ ଟ୍ରାଫିକ ନିୟମ ପାଳନ କରିବା ପାଇଁ ଟ୍ରାଫିକ ପୋଲିସ ଏକ ନିଆରା ଅଭିଯାନ ଚଳାଉଛି।
ବାସ୍ତବରେ ବେତୁଲର ଟ୍ରାଫିକ ପୋଲିସ ପ୍ରଭୁ ଗଣେଶଙ୍କ ଅବତାରରେ ରାସ୍ତାରେ ମାସ୍କ ପିନ୍ଧିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲା। ଏହାସହ ମାସ୍କ ଓ ହେଲମେଟ୍ ପିନ୍ଧିନଥିବା ଡ୍ରାଇଭରମାନଙ୍କୁ ଅଟକାଇ ମାସ୍କ ପିନ୍ଧିବା ଏବଂ ଟ୍ରାଫିକ ନିୟମ ଅନୁସରଣ କରିବା ବିଷୟରେ ସଚେତନ କରାଇଥିଲେ।
ଏହି ସମୟ ମଧ୍ୟରେ ଡ୍ରାଇଭରମାନଙ୍କୁ ସଚେତନତାର ବାର୍ତ୍ତା ଲେଖିବା ପାଇଁ ପାମ୍ପଲେଟ୍ ମଧ୍ୟ ଦିଆଯାଇଥିଲା। ଟ୍ରାଫିକ୍ ଦାୟିତ୍ୱରେ ଥିବା ଗଜେନ୍ଦ୍ର କହିଛନ୍ତି ଯେ ସାଧାରଣତଃ ଲୋକମାନେ ଟ୍ରାଫିକ୍ ନିୟମ ପାଳନ କରନ୍ତି ନାହିଁ। ସେମାନଙ୍କ ମଧ୍ୟରେ ଜ୍ଞାନ ଉଦୟ ପାଇଁ ଗଣେଶ ଭଗବାନଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା। ଟ୍ରାଫିକ ନିୟମ ପାଳନ କରିବା, ହେଲମେଟ ପିନ୍ଧି ବାଇକ ଚଲାଇବା ଏବଂ ବାଇକ ଆରୋହୀଙ୍କୁ କୋରୋନାରେ ମାସ୍କ ଲଗାଇବାକୁ ପରାମର୍ଶ ଦିଆଯାଇଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ