ରାୟପୁର: ଜୀବନ ଡଙ୍ଗା ଯେତେବେଳେ ବା’ ବତାଶର ସମ୍ମୁଖୀନ ହୁଏ.. ସେତେବେଳେ ମଣିଷ ନିଜକୁ ପବନ, ବ୍ରିଜ ଓ ଅଶୋକ ଭଳି ହେବା ଦରକାର। ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବା ସହ କଠିନ ପରିଶ୍ରମ କରିବା ଆବଶ୍ୟକ। ଆପଣ ଭାବୁଥିବେ କି, ଏମାନେ ଏମିତି କଣ କରିଛନ୍ତି ଯାହା ଏମାନଙ୍କଠୁ ଶିଖା ଯାଇପାରିବ? ଏହାର ଜବାବ ହେଉଛି କୃଷି। କିନ୍ତୁ ଚାଷକାର୍ଯ୍ୟ ତ ସଭିଏଁ କରନ୍ତି, ଏଥିରେ ନୂଆ କଣ। ନୂଆ ଏହା ଯେ, ଏମାନେ ଏକ ଦ୍ବୀପ ଉପରେ ଚାଷ କରୁଛନ୍ତି। ଯେତେବେଳେ ଜୀବିକାର କୌଣସି ମାଧ୍ୟମ ମିଳିଲା ନାହିଁ, ସେତେବେଳେ ସେମାନଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇ ପଡ଼ିଥିଲା। ପବନ, ବ୍ରିଜ ଓ ଅଶୋକ ପରି 80 ପରିବାର ଦାଣ୍ଡପାରା ଦ୍ବୀପରେ ଚାଷକାର୍ଯ୍ୟ ଆରମ୍ଭ କଲେ। ଏହି କାମ ଏତେ ସହଜ ନଥିଲା। କାରଣ ଚାଷ ପାଇଁ ତାଙ୍କୁ ଡଙ୍ଗାର ସାହାଯ୍ୟ ନେବାକୁ ପଡ଼ିଥିଲା, ଅର୍ଥାତ ପ୍ରତ୍ୟେକ ଥର କରିବାକୁ ପଡ଼ୁଥିଲା ଦ୍ବିଗୁଣା ପରିଶ୍ରମ..
ଆପଣ ଏବେ ଭାବୁଥିବେ ଏହି ଟାପୁ ତିଆରି ହେଲା କେମିତି। ପ୍ରାୟ ଦୁଇ ଦଶକ ପୂର୍ବେ ହସଦେବ ନଦୀ ଦାଣ୍ଡପାରା ଗାଁକୁ ଏହି ଦ୍ବୀପ ଉପହାର ସ୍ବରୂପ ଦେଇଥିଲା। ଛତିଶଗଡ଼ର କୋରବା ଜିଲ୍ଲାରୁ ପ୍ରାୟ 25 କିଲୋମିଟର ଦୂରରେ ଥିବା କଟଘୋରାରେ ରହିଛି ଏହି ଦ୍ବୀପ। ନଦୀରେ ନିୟମିତ ଅନ୍ତରାଳରେ ବନ୍ୟା ଯୋଗୁଁ ମାଟି ଗଦା ହୋଇ ଏହି ଦ୍ବୀପ ତିଆରି ହୋଇଛି। ଏହି ସ୍ଥାନରେ ଜନବସତି ବସିବା ପରେ ଏଠାରେ ପରିବାର ଭରଣପୋଷଣ ପାଇଁ ସଙ୍କଟ ଦେଖା ଦେଇଥିଲା। ସେହି ସମୟରେ 80 ପରିବାରକୁ ଜୀବନ ଜୀବିକାର ଏକ ରାହା ଦେଖାଇଥିଲା ଏହି ଦ୍ବୀପ।
ଦାଣ୍ଡପାରା ଦ୍ବୀପରେ ଧାନ ଚାଷ ସହ ମାଛ ଚାଷ ମଧ୍ୟ ହେଉଛି। ଆଉ ଡଙ୍ଗା ଚଳାଇବା କଳା ଯେପରି ଏମାନଙ୍କୁ ପୂର୍ବ ଜନ୍ମରୁ ଜଣା। ସ୍ଥାନୀୟ ବାସିନ୍ଦା ଡଙ୍ଗା ସାହାଯ୍ୟରେ ଦ୍ବୀପରେ ପହଞ୍ଚନ୍ତି। ଚାଷକାର୍ଯ୍ୟ ପାଇଁ ଉପକରଣ ମଧ୍ୟ ଏହି ଡଙ୍ଗାରେ ଆସେ। ଧାନ ଫସଲ କାଟିବା ପରେ ମଧ୍ୟ ଡଙ୍ଗାରେ ହିଁ ବହନ ହୋଇଥାଏ।
ଫସଲ ବିକ୍ରି କରିବା ପାଇଁ ଏହି ଚାଷୀମାନେ ନାମ ପଞ୍ଜୀକୃତ କରାଇ ନାହାନ୍ତି। ଚଳିତ ବର୍ଷ ଛତିଶଗଡ଼ରେ 32 ହଜାର 500 ଫସଲ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଦାଣ୍ଡାପାରା ଚାଷୀମାନେ ପସଲ ବିକ୍ରି ନକରି ନିଜ ବ୍ୟବହାର ପାଇଁ ରଖିଥାନ୍ତି। ଅବଶ୍ୟ ଉତ୍ପାଦ ବିକ୍ରି କରାଇବା ପାଇଁ କେତେକ ନୂଆ ଚାଷୀ ପଞ୍ଜୀକୃତ ହେବାକୁ ଚାହୁଁଥିଲେ ତେବେ ତାହା ସମ୍ଭବ ହୋଇ ପାରିଲା ନାହିଁ।
ପ୍ରଶାସନ ତଥ୍ୟ ଅନୁଯାୟୀ ଏମାନେ ଗିଡାୱାଲି ଅଞ୍ଚଳର କୃଷକ ଥିଲେ। ଭୁଇଁୟାନ୍ ସଫ୍ଟୱେର୍ ମାଧ୍ୟମରେ ସେମାନଙ୍କୁ ଲିଙ୍କ୍ ମଧ୍ୟ କରାଯାଇଥିଲା। ଅଞ୍ଚଳ ପରିବର୍ତ୍ତନ ପରେ ସେମାନେ ଯଦି ଭୁଇଁୟାନ୍ ସଫ୍ଟୱେର୍ ସହ ଲିଙ୍କ କରିଥାନ୍ତେ ସେମାନେ ପଞ୍ଜୀକୃତ ହୋଇପାରିଥାନ୍ତେ ବୋଲି କହିଛନ୍ତି ସରକାରୀ ଅଧିକାରୀ।
ଯଦିଓ ଏହି 80 ପରିବାର ବଞ୍ଚିବା ପାଇଁ ଦ୍ବୀପରେ ଚାଷ କରୁଛନ୍ତି, ସେମାନଙ୍କ ଜୀବନ ଶୈଳୀରେ ଉନ୍ନତି ପାଇଁ ସରକାରୀ ସହୟାତ ଜରୁରୀ ହୋଇ ପଡ଼ିଛି। ଏହାଦ୍ବାରା ସେମାନେ ମଧ୍ୟ ସମାଜର ଉନ୍ନତିରେ ସାମିଲ ହୋଇପାରିବେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ