ଲକ୍ଷ୍ନୌ: ବଜ୍ରପାତରେ ମୃତକଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଉତ୍ତର ପ୍ରଦେଶ ସରକାର ଲୋକଙ୍କୁ ଆଗୁଆ ବଜ୍ରପାତ ଜନିତ ସତର୍କ ସୂଚନା ଦେବାକୁ ଚିନ୍ତା କରିଛନ୍ତି । ଏହାକୁ ନେଇ ସରକାର ପ୍ରସ୍ତୁତି ଚଳାଇଥିବା ସୂଚନା ରହିଛି । ଲୋକଙ୍କୁ ମୋବାଇଲ୍ ଫୋନ୍ ଜରିଆରେ ସୂଚନା ଦେବାକୁ ଉତ୍ତର ପ୍ରଦେଶ ସରକାର ଚିନ୍ତା କରିଥିବା ସୂଚନା ରହିଛି ।
ରାଜ୍ୟରେ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ବହୁତ ଅଧିକ ରହିଛି । ଏହାକୁ କମାଇବା ପାଇଁ ସରକାର ପାଣିପାଗ ଏବଂ ସତର୍କ ସୂଚନା ବିଭାଗ ସହିତ ମିଶି ମୋବାଇଲରେ ଆଗୁଆ ଆଲର୍ଟ କରିବାକୁ ଚାହୁଁଛନ୍ତି ଯୋଗୀ ସରକାର ।
ରାଜ୍ୟ ରିଲିଫ୍ କମିଶନର ସଞ୍ଜୟ ଗୋଏଲ ଖବର ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେଉଁଠାରେ ବଜ୍ରପାତ ହେବାର ସମ୍ଭାବନା ରହିଛି ସେହି ସ୍ଥାନ ବାବଦରେ ତିନିରୁ ଚାରି ଦିନ ପୂର୍ବରୁ ଆଇଏମଡି ପୂର୍ବାନୁମାନ କରୁଛି । ଏବେ ଏହାକୁ ମୋବାଇଲ୍ ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କୁ ସୂଚାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଦେଖି ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ଦେଇଛନ୍ତି ବୋଲି ସେ କହିଛନ୍ତି ।
ଏହି ପ୍ରସ୍ତୁତି ସଫଳ ହେବା ପରେ ବଜ୍ରପାତ ବାବଦରେ ଲୋକଙ୍କ ସହିତ ଗାଁ ମୁଖିଆ, ଗ୍ରାମ ପଞ୍ଚାୟତ, ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀଙ୍କୁ ସୂଚାଇ ଦିଆଯିବ ବୋଲି ସେ କହିଛନ୍ତି । ଏହାବାଦ୍ ଦାମିନି ଆପ୍ସ ଜରିଆରେ ଲୋକମାନେ ବଜ୍ରପାତ ବିଷୟରେ ସୂଚନା ପାଇପାରିବେ ବୋଲି ରିଲିଫ୍ କମିଶନର କହିଛନ୍ତି ।