ହାଇଦ୍ରାବାଦ: ବୀରତ୍ବ ଏମାନଙ୍କର ପରିଚୟ । ଭାରତୀୟ ସେନାର ଅଭିନ୍ନ ଅଙ୍ଗ ତଥା ଦେଶର ସବୁଠୁ ଶକ୍ତିଶାଳୀ ବାଟାଲିୟନ ଗୋରଖା ରେଜିମେଣ୍ଟ । ଏମାନଙ୍କ ଗର୍ଜନ ଶୁଣି ଥରିଯାଏ ଶତ୍ରୁର ଛାତି । ଭାରତୀୟ ସେନାର ପ୍ରଥମ ଫିଲ୍ଡ ମାର୍ଶାଲ ଶାମ ମେନେକଶ କହିଥିଲେ ଯେ ଯଦି କୌଣସି ବ୍ୟକ୍ତି କୁହେକି ସେ ମୃତ୍ୟୁକୁ ଡରେ ନାହିଁ, ତେବେ ହୁଏତ ସେହି ବ୍ୟକ୍ତି ଜଣକ ମିଛ କହୁଥାଇ ପାରେ ନଚେତ୍ ସେ ଗୋରଖା । ତେବେ ଆସନ୍ତୁ ଜାଣିବା ଭାରତୀୟ ସେନାର ଏହି ଅଭିନ୍ନ ଅଙ୍ଗ ଗୋରଖା ରାଇଫଲର ବିରତ୍ବ ଗାଥା ବିଷୟରେ...
ଭାରତୀୟ ସେନା ସହ 200 ବର୍ଷ ପୂର୍ବରୁ ଗୋରଖା ଯାତ୍ରାର ଆରମ୍ଭ
ଭାରତୀୟ ସେନାରେ ଗୋରଖା ରାଇଫଲ୍ସରେ ମୋଟ 7 ରେଜିମେଣ୍ଟ ରହିଛି, ଯାହାକୁ ଗୋରଖା ବ୍ରିଗେଡ କୁହାଯାଏ । ହିମାଳୟର ପାଦ ଦାଶରେ ଥିବା ନେପାଳ କେବେ ବି କୌଣସି ବିଦେଶ ଅଧିନରେ ପରାଧିନ ହୋଇ ରହିନାହିଁ । ଦୀର୍ଘ ବର୍ଷରୁ ନେପାଳ ଭାରତର ମିତ୍ର ଦେଶ ରହିଆସିଛି । ଭାରତ ଓ ନେପାଳ ମଧ୍ୟରେ ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କ ଅଙ୍ଗାଙ୍ଗି ଜଡିତ । ଏହା ସହ ଦୁଇ ଦେଶ ମଧ୍ୟରେ ସୈନ୍ୟ ପରମ୍ପରାର ସମ୍ପର୍କ ମଧ୍ୟ ରହିଛି । ରାଜ୍ୟ ଶାସନ ସମୟରେ ଭାରତର ରାଜାଙ୍କ ସୈନ୍ୟ ବାହିନୀରେ ନେପାଳର ଯୋଦ୍ଧା ମଧ୍ୟ ସାମିଲ ଥିଲେ । କେବେ ଭାରତୀୟ ସନାଙ୍କ ସହ ଗୋରଖା ଯାତ୍ରାର ଆରମ୍ଭ 200 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ।
1814ରୁ 1816 ମଧ୍ୟରେ ହୋଇଥିବା ଆଙ୍ଗଲୋ-ନେପାଳ ଯୁଦ୍ଧରେ ବ୍ରିଟିଶ ସୈନ୍ୟ ଅଧିକାରୀ ନେପାଳୀଙ୍କ ବୀରତ୍ବ ପ୍ରଭାବିତ କରିଥିଲା । ବ୍ରିଟିଶ ସାମ୍ରାଜ୍ୟ ପକ୍ଷରୁ ପ୍ରଥମ ବିଶ୍ବଯୁଦ୍ଧ ସମୟରେ ନେପାଳର 2 ଲକ୍ଷ ଗୋରଖା ସୈନିକ ସାମିଲ ହୋଇଥିଲେ । ଦକ୍ଷୀଣ ଏସିୟାରେ ଏହା ସେମାନଙ୍କର ପ୍ରଥମ ଯୁଦ୍ଧ ଥିଲା, କିନ୍ତୁ ଏମାନଙ୍କ ବୀରତ୍ବର ଗାଥା ଆଜିବି ଶୁଣିଲେ ଛାତି ଗର୍ବରେ ଫୁଲିଉଠେ । ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଗୋରଖା ରେଜିମେଣ୍ଟର ପାଖାପାଖି 20,000 ସୈନିକ ଶହୀଦ ହୋଇଯାଇଥିଲେ ।
1857 ପୂର୍ବରୁ ଇଂରେଜମାନେ ନିଜ ସୈନ୍ୟବାହିନୀରେ ଗୋରଖା ସୈନିକଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଦେଇଥିଲେ । ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମରେ ଏମାନେ ବ୍ରିଟିଶ ସେନାଙ୍କ ପକ୍ଷରେ ଥିଲେ, କାରଣ ସେତେବେଳେ ଏମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିନରେ ଥିଲେ । ଭାରତର ସ୍ବାଧିନତା ପରେ ବ୍ରଟିଶ ଓ ନେପାଳ ରାଜାଙ୍କ ଦ୍ବାରା ହୋଇଥିବା ଚୁକ୍ତି ଆଧାରରେ ନେପାଳର ସୈନିକଙ୍କ ବ୍ୟତିତ ଭାରତର ସୈନିକ ମଧ୍ୟ ଏଥିରେ କାର୍ଯ୍ୟ କରୁଛନ୍ତି ।
ଗୋରଖା କଣ?
ହିମାଳୟର ପାଦ ଦେଶରେ ଥିବା ନେପାଳର ଏକ ଜିଲ୍ଲାର ନାଁ ଗୋରଖା, ଯାହା ନିଜ ଯୋଦ୍ଧାଙ୍କ ପାଇଁ ସାରା ବିଶ୍ବରେ ପରିଚିତ । ଗୋରଖା କେବେଳ କୌଣସି ଜାତିର ଯୋଦ୍ଧା ନୁହନ୍ତି, ବରଂ ପାହାଡ ପର୍ବତରେ ରହୁଥିବା ସୁନଓ୍ବାର, ଗୁରଙ୍ଗ, ରାୟ, ମାଗର ଓ ଲିମ୍ବୁ ଆଦି ଜାତିର ଯୋଦ୍ଧାଙ୍କୁ ନେଇ ଗଠିତ ସୈନ୍ୟ ବାହିନୀ । ଗୋରଖାଙ୍କୁ ବ୍ରିଟିଶ ଅଧିକାରୀ ମାର୍ଶାଲ ରେସର ଉପାଧି ଦେଇଥିଲେ । ଏମାନେ ଯୁଦ୍ଧରେ ଅତ୍ୟନ୍ତ ଆକ୍ରମକ ହୋଇଥାନ୍ତି । ଗୋରଖାମାନେ କଠିନ ପରିଶ୍ରମ ଓ ସୈନ୍ୟ ରଣନୀତି କ୍ଷମତାର ଅଧିକାରୀ ହୋଇଥାନ୍ତି ।
12 ଇଞ୍ଚ ଲମ୍ବା ଧାରୁଆ ଅସ୍ତ୍ର ଖୁକରୀ ଓ ତିରଛା ଗୋରଖାଙ୍କ ଅସ୍ତ୍ର ହୋଇଥାଏ । ଏହି ଦୁଇଟି ଅସ୍ତ୍ର ଗୋରାଖା ସୈନ୍ୟ ପୋଷାକର ଅଂଶ । ଗୋରଖା ରେଜିମେଣ୍ଟର ରେଜିମେଣ୍ଟାଲ ଚିହ୍ନ ମଧ୍ୟ ଖୁକରୀ ହୋଇଥାଏ । 'କାପୁରୁଷ ହେବାଠାରୁ ମରିଯାବା ଉଚିତ'ର ବିଚାର ସହିତ ଜୟ ମହାକାଳୀର ନାରାରେ ଶତ୍ରୁ ପକ୍ଷଙ୍କ ଛାତିରେ ଭୟ ସଞ୍ଚାର କରିବାର କ୍ଷାତି ଅର୍ଜନ କରିଛନ୍ତି ଏହି ଗୋରଖା ସୈନିକ ।
ବିଶ୍ବ ପାଇଁ ପ୍ରେରଣାଦାୟୀ ଗୋରଖାର ଇତିହାସ
ଇଂଲଣ୍ଡର ପ୍ରତିରକ୍ଷା ମନ୍ତ୍ରାଳୟ ବାହାରେ ସ୍ଥାପିତ ଏକ ଗୋରଖା ମୂର୍ତ୍ତି ଏମାନଙ୍କ ବୀରତ୍ବର ପରିଚୟ ଦେଇଥାଏ । ଗୋରଖା ରେଜିମେଣ୍ଟ ଭାରତୀୟ ସେନାକୁ 2 ଜଣ ଫିଲ୍ଡ ମାର୍ଶାଲ ଦେଇଛି । ଶାମ ମାନେକଶ ଏବଂ ଦଲବୀର ସିଂହ ସୁହାଗ । ଏହି ରେଜିମେଣ୍ଟର ପରମବୀର ଚକ୍ର ମନୋଜ କୁମାର ପାଣ୍ଡେଙ୍କ ବୀରତ୍ବର ଗାଥା ସମଗ୍ର ବିଶ୍ବ ପାଇଁ ଯୁଦ୍ଧ ଇତିହାସରେ ଏକ ବଡ ଉଦାହରଣ କୁହାଯାଇପାରେ । ଏହା ବ୍ୟତିତ ଭାରତର ପୂପ୍ବତନ ସେନାମୁଖ୍ୟ ବିପିନ ରାଓ୍ବତ ମଧ୍ୟ ଜଣେ ଗୋରଖା ସୈନିକ ଥିଲେ । ପ୍ରତି ବର୍ଷ 1,200-1,300 ନେପାଳୀ ଗୋରଖା ଭାରତୀୟ ସେନାରେ ସାମିଲ ହୋଇଥାନ୍ତି । ଭାରତୀୟ ସେନାରେ ଗୋରଖା ସୈନ୍ୟଙ୍କ ସଂଖ୍ୟା ଦେଢ ଲକ୍ଷରୁ ଉର୍ଦ୍ଧ୍ବ ରହିଛି ।