ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ମନମୋହନ ସିଂ ଆଜି ତାଙ୍କର 88ତମ ଜନ୍ମ ଦିନ ପାଳନ କରୁଛନ୍ତି । ସେ ଦୁଇ ଥର (2004-14) ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ ରହିଥିଲେ । 1990 ଦଶକରେ ଦେଶର ଅର୍ଥନୀତିରେ ବ୍ୟାପକ ସଂସ୍କାର ଆଣିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା ।
![ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ 88ତମ ଜନ୍ମଦିନ](https://etvbharatimages.akamaized.net/etvbharat/prod-images/8944178_opl-2.jpg)
ମନମୋହନଙ୍କ ଜନ୍ମଦିନର ଏହି ଅବସରେ କଂଗ୍ରେସ ନେତାଙ୍କ ଠାରୁ ପ୍ରଧାନମନ୍ତ୍ରୀ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥତା ଓ ଦୀର୍ଘାୟୁ କାମନା କରିଛନ୍ତି। ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମନମୋହନ ସିଂଙ୍କ ପରି ପ୍ରଧାନମନ୍ତ୍ରୀଙ୍କ ଅଭାବ ଆଜି ସାରା ଦେଶ ଅନୁଭବ କରୁଛି ବୋଲି ରାହୁଲ କହିଛନ୍ତି ।
![ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ 88ତମ ଜନ୍ମଦିନ](https://etvbharatimages.akamaized.net/etvbharat/prod-images/8944178_opl.jpg)
ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, ମନମୋହନ ସିଂଙ୍କ ପରି ଜଣେ ପ୍ରଧାନମନ୍ତ୍ରୀଙ୍କ ଅଭାବକୁ ଆଜି ଭାରତ ଅନୁଭବ କରୁଛି । ତାଙ୍କର ସଚ୍ଚୋଟତା, ଶ୍ରଦ୍ଧା ଏବଂ ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ । ଜନ୍ମଦିନର ଶୁଭେଚ୍ଛା ଜଣେଇବା ସହ ଆଗାମୀ ବର୍ଷ ଭଲରେ କାଟିବାକୁ ସେ କାମନା କରିଛନ୍ତି । ମନମୋହନ ସିଂ ବର୍ତ୍ତମାନ ରାଜସ୍ଥାନର ରାଜ୍ୟସଭାର ସାଂସଦ ମଧ୍ୟ । ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ଡ.ସିଂ ସୁସ୍ଥ ଶରୀର ଓ ଦୀର୍ଘାୟୁ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
![ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ 88ତମ ଜନ୍ମଦିନ](https://etvbharatimages.akamaized.net/etvbharat/prod-images/8944178_pl.jpg)
କଂଗ୍ରେସର ଅନ୍ୟଜଣେ ନେତା ତଥା ସୁପ୍ରିମକୋର୍ଟର ଆଇନଜୀବୀ ଜୟଭିର ଶେରଗିଲ ମଧ୍ୟ ସିଂଙ୍କୁ ମନମୋହନ ସିଂଙ୍କୁ ବଧାଇ ଜଣାଇଛନ୍ତି । ସେ କହିଛନ୍ତି, ମନମୋହନ ସିଂ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି, ସରଳତା, ସଚ୍ଚୋଟତା, ନମ୍ରତା, ସମ୍ମାନ, ପ୍ରଭାବଶାଳୀତା, ଜଣେ ପ୍ରକୃତ ଷ୍ଟେଟମ୍ୟାନ୍ । ତାଙ୍କର କଥା ନୁହେଁ କାମ କଥା କହିଥାଏ । ତାଙ୍କ ସହ ବାର୍ତ୍ତାଳାପ ଏବଂ ମାର୍ଗଦର୍ଶନ ତାଙ୍କ ପାଇଁ ସବୁଠାରୁ ବଡ ଧନ ବୋଲି ଜୟଭିର କହିଛନ୍ତି ।
![ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ 88ତମ ଜନ୍ମଦିନ](https://etvbharatimages.akamaized.net/etvbharat/prod-images/8944178_pl-2.jpg)
26 ସେପ୍ଟେମ୍ବର 1932ରେ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ଭାରତ ବିଭାଜନ ପୂର୍ବରୁ ମନମୋହନ ସିଂ ଜନ୍ମଗ୍ରହଣ କରିଥିଲେ । ସେ ପଞ୍ଜାନ ୟୁନିଭରସିଟି, କେମ୍ବ୍ରିଜ ୟୁନିଭରସିଟିରେ ଅଧ୍ୟୟନ କରିଥିଲେ ଏବଂ ଅକ୍ସଫୋର୍ଡ ୟୁନିଭରସିଟିରୁ ଅର୍ଥନୀତିରେ ଡକ୍ଟରେଟ ହାସଲ କରିଥିଲେ । ମନମୋହନ ସିଂ ବିଶ୍ବବିଦ୍ୟାଳୟ ତଥା ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସ ଏବଂ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ