ନୂଆଦିଲ୍ଲୀ: ଅକ୍ଟୋବର 2 ସୁଦ୍ଧା ସମଗ୍ର ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଏନେଇ ସମସ୍ତ ରାଜ୍ୟରେ ଏହାର ପ୍ରସ୍ତୁତି ଜାରି ରହିଛି । ଏହି ଅବସରରେ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ଲାଷ୍ଟିକ ଆବର୍ଜନାରୁ ସବୁଠୁ ବଡ ଚରଖା ତିଆରି କରାଯାଇଛି । ଏହି ଚରଖାର ଓଜନ 1650 କେଜି ବିଶିଷ୍ଟ ରହିଥିବାବେଳେ ଏହାର ଉଚ୍ଚତା 14 ଫୁଟ, ଚଉଡା 8 ଫୁଟ ଓ 20 ଫୁଟ ଲମ୍ବା ରହିଛି ।
ରାଜଧାନୀ ଦିଲ୍ଲୀର ନୋଏଡା ଅଥୋରିଟି ସେକ୍ଟର 94ରେ ପ୍ଲାଷ୍ଟିକ ଆବର୍ଜନାରୁ ଚରଖା ତିଆରି କରାଯାଇଛି । 1250 କେଜିର ପ୍ଲାଷ୍ଟିକକୁ ତରଳାଇ ସେଥିରେ ଚରଖା ପ୍ରସ୍ତୁତ କରାଯାଇଛି । ଜାତିରପିତା ମହାତ୍ମାଗାନ୍ଧିଙ୍କ 150 ତମ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ସ୍ବଚ୍ଛତାର ସନ୍ଦେହ ଦେବାପାଇଁ ଏହି ଚରଖାର ନିର୍ମାଣ କରାଯାଇଛି । ଖାଲିସେତିକି ନୁହେଁ ଇଣ୍ଡିଆ ବୁକ ଅଫ ରେକର୍ଡ ଏହାକୁ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥିବା ଭାରତରେ ସବୁଠୁ ବଡ ଚରଖା ବୋଲି କହିଛି ।
ସେକ୍ଟର 94ରେ ନୋଏଡା ଅଥରିଟି 1250 କେଜି ପ୍ଲାଷ୍ଟିକ ଆବର୍ଜନାକୁ ତରଳାଇ ସେଥିରେ ଆବଶ୍ୟକ କାଠ ଓ ଅନ୍ୟ ଜିନିଷ ଦେଇ 1650 କେଜିର ଚରଖା ପ୍ରସ୍ତୁତ କରିଛନ୍ତି । ଯାହାର ଉଦଘାଟନ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ସାଂସଦ ଡା. ମହେଶ ଶର୍ମା ଓ ବିଧାୟକ ପଙ୍କଜ ସିଂହ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତିଯେ, ସ୍ବଚ୍ଛତାକୁ ନଜରରେ ରଖି ମୋଦି ସରକାର 5 ବର୍ଷ ମଧ୍ୟରେ 11 କୋଟି ଟଏଲେଟର ନିର୍ମାଣ କରିଛନ୍ତି ।
ସ୍ମୃତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ସାଂସଦ ଡା. ମହେଶ ଶର୍ମା ଓ ବିଧାୟକ ପଙ୍କଜ ସିଂହ ଓ ସିଇଓ ଅଥରୋରିଟଙ୍କ ସହ ମିଶି ନୋଏଡାରେ ଏକ ଲକ୍ଷ କପାଡ ବ୍ୟାଗ ବାଣ୍ଟିଛନ୍ତି । ସ୍ମୃତି ଇରାନୀ ପ୍ଲାଷ୍ଟିକରେ ପ୍ରସ୍ତୁତ ଚରଖା ନିର୍ମିତ ନେଇ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ପ୍ଲାଷ୍ଟିକ ଆବର୍ଜନାରୁ ଦେଶର ସବୁଠୁ ବଡ ଚରଖା ପ୍ରସ୍ତୁତ କରିବା ସହ ଆପଣ ସ୍ବଚ୍ଛତାକୁ ଆହୁରି ଆଗକୁ ନେଇଛନ୍ତି ।