ବ୍ୟବହାର କରିବା ପୂର୍ବରୁ ଟେଷ୍ଟିଂ କିଟ ବା ପରୀକ୍ଷଣ ଉପକରଣର ଗୁଣମାନ ଯାଞ୍ଚ କରାଯିବା ଆବଶ୍ୟକ । ସ୍କୁଲ ପାଠ୍ୟକ୍ରମରେ କୋଭିଡ-19 ସ୍ଥାନ ପାଇବା ଉଚିତ । ଲକଡାଉନ ବା ତାଲାବନ୍ଦ ମାଧ୍ୟମରେ ଆମେ ରୋଗ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛୁ । ଆନ୍ଧ୍ର ପ୍ରଦେଶର ମେଡଟେକ ଜୋନ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ । ଭାରତ ଏକ ପ୍ରତିଷେଧକ ଟିକା ପ୍ରସ୍ତୁତ କରିବାରେ ସକ୍ଷମ । ଲକଡାଉନ ପରେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ ।
ଏହା ହେଉଛି, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ(PHFI)ର ଅଧ୍ୟକ୍ଷ ଏବଂ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଜନସ୍ବାସ୍ଥ୍ୟ ପରାମର୍ଶଦାତା ପ୍ରଫେସର କେ.ଶ୍ରୀନାଥ ରେଡ୍ଡିଙ୍କ ସହ ସାକ୍ଷାତ୍କାରର ଉଦ୍ଧୃତାଂଶ ।
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ୍ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହି ଭୂତାଣୁର ପ୍ରସାରକୁ ପ୍ରତିହତ କରିବାରେ ଆମେ କେତେ ସଫଳ ହୋଇଛୁ ? ତାଲାବନ୍ଦ ପରବର୍ତ୍ତୀ ସମୟର ସ୍ଥିତି କ’ଣ ହୋଇପାରେ ?
ଅନ୍ୟ ଦେଶ ତୁଳନାରେ ଭାରତର ପରିସ୍ଥିତି ଭିନ୍ନ । ଏହି ଭୂତାଣୁର ସ୍ବରୂପ ଜଣା ନଥିବାରୁ ଲୋକମାନେ ଅତିମାତ୍ରାରେ ସତର୍କ ରହିବାକୁ ମୁଁ ପରାମର୍ଶ ଦେବି । ଦେଶବ୍ୟାପୀ ତାଲାବନ୍ଦ କଟକଣା ଜାରି କରିବା ଏକ ପ୍ରଶଂସନୀୟ ପଦକ୍ଷେପ । ଏହି ପଦକ୍ଷେପ ଯୋଗୁଁ ଭୂତାଣୁର ବ୍ୟାପ୍ତିକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇପାରିଛି ବୋଲି ସ୍ପଷ୍ଟ ରୂପେ ପ୍ରମାଣିତ ହୋଇଛି । କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ନେଇଥିବା ସମସ୍ତ ପଦକ୍ଷେପରୁ କେତେକ ସକାରାତ୍ମକ ଫଳାଫଳ ମିଳିଛି ।
ଭାରତ ଭଳି 130 କୋଟି ଲୋକଙ୍କ ଦେଶରେ ବର୍ତ୍ତମାନର ରୋଗ ପରୀକ୍ଷଣ ହାର ଯଥେଷ୍ଟ କି ?
130 କୋଟି ଲୋକଙ୍କ ପରୀକ୍ଷଣ କରିବା ପ୍ରାୟ ଅସମ୍ଭବ । ସାମାନ୍ୟରୁ ଗୁରୁତର ରୋଗ ଲକ୍ଷଣ ଥିବା ବ୍ୟକ୍ତିଙ୍କ ପରୀକ୍ଷଣ ହିଁ ସଠିକ ଉପାୟ । ଆମର ସବୁ ସମ୍ବଳକୁ କେବଳ ରୋଗ ପରୀକ୍ଷଣରେ ବିନିଯୋଗ କରିବାର କିଛି ଅର୍ଥ ନାହିଁ ।
ଏହି ଭୂତାଣୁକୁ ନିୟନ୍ତ୍ରଣ କରିବା ଦିଗରେ କେଉଁ ପ୍ରକାର ଗବେଷଣା ହେଉଛି ?
ପ୍ରତିଷେଧକ ଟିକା ପ୍ରସ୍ତୁତ କରିବା ପାଇଁ ଅନେକ ଭାରତୀୟ କମ୍ପାନୀ ଆଗଭର ହୋଇଛନ୍ତି । କୌଣସି ପ୍ରତିଷେଧକ ଟିକା ପ୍ରସ୍ତୁତ କରିବା କିମ୍ବା ରୋଗ ଚିକିତ୍ସାର ଉପାୟ ଖୋଜିବା ଲାଗି ହୁଏତ 18 ମାସ ଲାଗିଯାଇପାରେ । ଯେ କୌଣସି ପ୍ରକାର ଔଷଧ ତିଆରି କରିବା ପାଇଁ ଭାରତ ସକ୍ଷମ । ଅତୀତରେ ଆମେ ଅଳ୍ପ ଖର୍ଚ୍ଚରେ ହେପାଟାଇଟିସ ଟିକା ପ୍ରସ୍ତୁତ କରିଛୁ ଏବଂ ଏହାକୁ ଅନ୍ୟ ଦେଶକୁ ରପ୍ତାନୀ ମଧ୍ୟ କରିଛୁ ।
ଚୀନ୍ରେ ଆରମ୍ଭ ହୋଇଥିବା ଏନ୍କୋଭ ଭୂତାଣୁର ଆନୁବଂଶିକ ଉପାଦାନ ଭାରତରେ ବ୍ୟାପ୍ତ ଭୂତାଣୁ ତୁଳନାରେ ଭିନ୍ନ କି ?
କୋଭିଡ-19 କ୍ଷେତ୍ର ଭଳି ବ୍ୟାପକ ହାରରେ ଭୂତାଣୁ ସଂକ୍ରମଣ ଘଟିଲେ ଏହାର ଜୈବିକ ପରିବର୍ତ୍ତନ ଘଟିଥାଏ । କିନ୍ତୁ ଏହାର ଆନୁବଂଶିକ ଉପାଦାନରେ ପରିବର୍ତ୍ତନ ସମ୍ଭାବନା କମ ଥାଏ । କୌଣସି ପାର୍ଥକ୍ୟ ଥିଲେ ବି ଏହା ନଗଣ୍ୟ ।
ଡାକ୍ତରୀ ସରଞ୍ଜାମ ପ୍ରସ୍ତୁତି କ୍ଷେତ୍ରରେ ବିଶାଖାପାଟଣାର ମେଡ୍ଟେକ୍ କେଉଁ ଭୂମିକା ନିର୍ବାହ କରିବ ? ସ୍ବାସ୍ଥ୍ୟସେବା ଏବଂ ଫାର୍ମାସୀ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକାରେ ରହିବ କି ?
ମେଡଟେକ ଭବିଷ୍ୟତରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଛି । ଆମେ କେବଳ ଦେଶର ଆବଶ୍ୟକତା ପୂରଣ ପାଇଁ ନୁହେଁ, ବରଂ ବିଦେଶକୁ ରପ୍ତାନୀ କରିବା ପାଇଁ ବି ଡାକ୍ତରୀ ସରଞ୍ଜାମ ପ୍ରସ୍ତୁତ କରିବାକୁ ସ୍ଥିର କରିଛୁ । ଏଠାରେ କମ ଖର୍ଚ୍ଚରେ ଡାକ୍ତରୀ ସରଞ୍ଜାମ ପ୍ରସ୍ତୁତ ହୋଇପାରିବ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉପୁଜିଥିବା ଏହି ସଂକଟ ହିଁ କମ ଖର୍ଚ୍ଚରେ ସରଞ୍ଜାମ ତିଆରି କରିବାର ପ୍ରକୃଷ୍ଟ ସମୟ ।
ଚୀନର ପରୀକ୍ଷଣ କିଟରୁ ଭୂତାଣୁ ସଂଚାରିତ ହୋଇପାରେ ବୋଲି ଗୁଜବ ଶୁଣାଯାଉଛି ?
ପରୀକ୍ଷଣ ଉପକରଣରୁ ଭୂତାଣୁ ସଂଚାରଣର କୌଣସି ଆଶଙ୍କା ନାହିଁ । କିନ୍ତୁ ସେଗୁଡ଼ିକର ଗୁଣମାନ ହିଁ ଚିନ୍ତାର କାରଣ । ଆମଦାନୀ କରିବା ପୂର୍ବରୁ ଆମକୁ ସେଗୁଡ଼ିକର ଗୁଣମାନ ଯାଞ୍ଚ କରାଇ ନେବା ଆବଶ୍ୟକ । ରାଜ୍ୟ ସରକାର ହିଁ ଏହି କିଟ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
ଭୂତାଣୁର ବ୍ୟାପ୍ତିକୁ ଆମେ କିଭଳି ନିୟନ୍ତ୍ରଣ କରିବା ?
ତାଲାବନ୍ଦ ଶେଷ ହେବା ପରେ ବି ଲୋକେ ସାବଧାନ ରହିବା ଆବଶ୍ୟକ । ଏହାର ଏକ ପ୍ରତିଷେଧକ ଟିକା ନ ବାହାରିବା ପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖିବା ଖୁବ ଗୁରୁତ୍ବପୂର୍ଣ୍ଣ । ଅଲଗା ଭାବେ ସୀମାବଦ୍ଧ ହୋଇ ରହିବା ଦ୍ବାରା ହିଁ ଆମେ ଏହାର ସଂକ୍ରମଣକୁ ନିୟନ୍ତ୍ରଣ କରିପାରିବା । ତଥାପି ଏହି ଭୂତାଣୁ ଏଠାରେ ରହିବ । ବର୍ଷେ କି ଦୁଇ ବର୍ଷ ଯାଏଁ ସୁରକ୍ଷାମୂଳକ ପଦକ୍ଷେପ ଅନୁସରଣ କରିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ । ବୟସ୍କ ଏବଂ ଅନ୍ୟ ସମ୍ବେଦନଶୀଳ ଗୋଷ୍ଠୀର ଲୋକେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଥିବାରୁ ସେମାନେ ଅଧିକ ଯତ୍ନବାନ ହେବା ନିହାତି ଆବଶ୍ୟକ ।
ସ୍କୁଲ ପାଠ୍ୟକ୍ରମରେ କୋଭିଡ-19କୁ ସାମିଲ କରିବା ସଂପର୍କରେ ଆପଣଙ୍କ ମତାମତ କ’ଣ ?
ଆଗାମୀ ପୀଢ଼ିକୁ ବ୍ୟକ୍ତିଗତ ସ୍ବାସ୍ଥ୍ୟରକ୍ଷା ସଂପର୍କରେ ଶିକ୍ଷା ଦେବା ଅନିବାର୍ଯ୍ୟ ମନେ ହୁଏ । କୋଭିଡ-19 ସଂଘଟିତ ହେବା ପରେ, ଭବିଷ୍ୟତରେ ଅନ୍ୟ କୌଣସି ଭୂତାଣୁ ପ୍ରାଦୂର୍ଭାବକୁ ପ୍ରତିହତ କରିବା ଦିଗରେ ପିଲାମାନଙ୍କୁ ଶିକ୍ଷା ଦେବା ବାଞ୍ଛନୀୟ ।