କୋଲକାତା: ରାତି ପାହିଲେ ଶାରଦୀୟ ଦୁର୍ଗାପୂଜା । ଚାରିଆଡେ ସରିଛି ପ୍ରସ୍ତୁତି ପର୍ବ । ହର୍ଷୋଲ୍ଲାସରେ ମାଆଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ଭକ୍ତ । ସବୁବର୍ଷ ପରି ଏବର୍ଷ ମଧ୍ୟ ପୂଜା ଲାଗି ଚଳଚଞ୍ଚଳ କୋଲକାତା । ଆକର୍ଷଣୀୟ ମେଢ ସହ ଆଖି ଝଲସା ମୂର୍ତ୍ତି । ତୋରଣ ଓ ଆଲୋକମାଳାରେ ଝଲସୁଛି କୋଲକାତା । ତେବେ ଏସମସ୍ତ ଭିତରେ ନିଆରା ପାଲଟିଛି ଏକ ପୂଜା କମିଟି ।
ସବୁଥର ଏହି କମିଟି ପକ୍ଷରୁ ମାଆଙ୍କୁ ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ଆଭୂଷିତ କରାଯାଇଥାଏ । ସୁନା ଓ ରୌପ୍ୟର ବ୍ୟବହାର ପାଇଁ ଏହି ମଣ୍ଡପ ପ୍ରସିଦ୍ଧ । ଗତବର୍ଷ ଦୁର୍ଗାଙ୍କୁ ଏକ ରୌପ୍ୟ ରଥରେ ସଜାଇଥିଲେ ଆୟୋଜକ । 2017ରେ ମାଆଙ୍କୁ ପିନ୍ଧାଇଥିଲେ ସୁନାର ଶାଢୀ । ଏଥର ମଧ୍ୟ ଦୁର୍ଗା ମୂର୍ତ୍ତି ତିଆରିରେ ଆୟୋଜକ ବ୍ୟବହାର କରିଛନ୍ତି 50 କେଜି ସୁନା । ଏଥିପାଇଁ ମୋଟ 20 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।
କମିଟିର ସାଧାରଣ ସମ୍ପାଦକ ସଜଲ ଘୋଷ କହିଛନ୍ତି ଯେ ମୂର୍ତ୍ତି ତିଆରି ଲାଗି 3 ମାସ ସମୟ ଲାଗିଥିଲା । 250 ଜଣ କାରିଗର ଏହି କାମରେ ଦିନରାତି ଲାଗିଥିଲେ । ସେହିପରି ମଣ୍ଡପ ତିଆରି ପାଇଁ କାରିଗର ଅଢେଇ ମାସ ସମୟ ନେଇଥିଲେ । ମଣ୍ଡପର ଭିତର ସାଜସଜ୍ଜା ସୀସା ମହଲର ଅବିକଳ ଆକୃତି ଭଳି ତିଆରି ହୋଇଛି । ଏଥିରେ ଶହ ଶହ ଟନର କାଚ ବ୍ୟବହାର କରାଯାଇଛି ।
ସେହିପରି ବାହାର ପଟ ମାୟାପୁର ଇସ୍କନ ମନ୍ଦିରକୁ ନକଲ କରି ନିର୍ମାଣ କରାଯାଇଛି । କେବଳ ମାଆଙ୍କ ବାହୁ ରୌପ୍ୟରେ ତିଆରି ହୋଇଛି । ସମ୍ପୂର୍ଣ୍ଣ ମୂର୍ତ୍ତିରେ 50 କେଜି ସୁନା ବ୍ୟବହାର ହୋଇଥିବା ଘୋଷ ସୂଚନା ଦେଇଛନ୍ତି । ଏହାସହ ଏହି କାମରେ କିଛି ମେସିନର ବ୍ୟବହାର ହୋଇଥିଲା ଯାହା ଗହଣା ତିଆରି କରିବାରେ ସାହାଯ୍ୟ କରିଥିଲା । କାରଣ ପଶ୍ଚିମବଙ୍ଗରେ ସୁନା ତିଆରି ବ୍ୟବସାୟୀଙ୍କ କାରବାର ମାନ୍ଦା ଚାଲିଥିବାରୁ ସେମାନେ କିଛି ମେସିନର ସାହାଯ୍ୟ ନେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ କୋଲକାତାରେ ଏପରି ସୁନା ଓ ଅଳଙ୍କାର କିଛି ନୂଆ କଥା ନୁହେଁ । ଦୁର୍ଗାଙ୍କ ମେଢ ଲାଗି ଅନେକ କମିଟି ବିଭିନ୍ନ ସୁନା ରୂପାର ବ୍ୟବହାର କରନ୍ତି ।