ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦ ମାମଲାରେ ନଭେମ୍ବର 8 ତାରିଖ, ଶନିବାର ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ପ୍ରକାଶ କରିବେ। ସର୍ବୋଚ୍ଚ ନ୍ୟାୟାଳୟର 5 ଜଣିଆ ଖଣ୍ଡପୀଠ ଏହାର ମାରାଥନ 40 ଦିନ ଶୁଣାଣି କରିଥିବାବେଳେ ଆଜି ଏହାର ଚୂଡାନ୍ତ ରାୟ ଆସିବ । ଏହି 5 ଜଣିଆ ଖଣ୍ଡପୀଠରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ, ଜଷ୍ଟିସ୍ ଏସ୍ ଏ ବୋବଡେ, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଅବଦୁଲ ନଜିର୍ ସାମିଲ ଅଛନ୍ତି ।
ତେବେ ଆସନ୍ତୁ ଏହି ପାଞ୍ଚ ଜଣ ବିଚାରପତିଙ୍କ ବାବଦରେ କିଛି ତଥ୍ୟ ଜାଣିବା...
ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ: 1954 ମସିହା ନଭେମ୍ବର 18 ତାରିଖରେ ବର୍ତ୍ତମାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଜନ୍ମ ହୋଇଥିଲା । ସେ 2018 ଅକ୍ଟୋବର 3 ତାରିଖରୁ ଭାରତର 46 ତମ ପ୍ରଧାନବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କର କାର୍ଯ୍ୟକାଳ ଚଳିତ ବର୍ଷ ନଭେମ୍ବର 17 ତାରିଖରେ ଶେଷ ହେବ । ତାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା 5 ଜଣିଆ ଖଣ୍ଡପୀଠ ନଭେମ୍ବର 9 ତାରିଖରେ ଦେଶର ସବୁଠାରୁ ପୁରାତନ ଅଯୋଧ୍ୟା ମାମଲା ଉପରେ ଚୂଡାନ୍ତ ରାୟ ଶୁଣାଇବେ ।
ଜଷ୍ଟିସ୍ ଏସ୍ ଏ ବୋବଡେ: ଜଷ୍ଟିସ୍ ବୋବଡେଙ୍କ ଜନ୍ମ 1956 ମସିହା ଅପ୍ରେଲ 24 ତାରିଖରେ ହୋଇଥିଲା । ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ କାର୍ଯ୍ୟକାଳ ଶେଷ ପରେ ସେ ଭାରତର 47ତମ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ସେ ପୂର୍ବରୁ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଥିଲେ । ତାଙ୍କର କାର୍ଯ୍ୟକାଳ 2021 ଅପ୍ରେଲ 23 ତାରିଖରେ ଶେଷ ହେବ।
ଜଷ୍ଟିସ୍ ଅଶୋକ ଭୂଷଣ: ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଜନ୍ମ 1956 ମସିହା ଜୁଲାଇ 5 ତାରିଖରେ ହୋଇଥିଲା । ସେ ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ସେ କେରଳ ଉଚ୍ଚ ନ୍ୟାୟାଳୟର 31 ତମ ମୁଖ୍ୟ ବିଚାରପତି ଥିଲେ ।
ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ: ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ଜନ୍ମ 1959 ନଭେମ୍ବର 11 ତାରିଖରେ ହୋଇଥିଲା । ସେ ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ସେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ବମ୍ବେ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ପିତା ୱାଇ ବି ଚନ୍ଦ୍ରଚୂଡ ଭାରତର ସବୁଠାରୁ ଅଧିକ ସମୟ ଧରି ପ୍ରଧାନ ବିଚାରପତି ଥିଲେ।
ଜଷ୍ଟିସ୍ ଅବଦୁଲ ନଜିର୍ : ଜଷ୍ଟିସ୍ ଅବଦୁଲ ନଜିର୍ଙ୍କ ଜନ୍ମ 1958 ମସିହା ଜାନୁଆରୀ 5 ତାରିଖରେ ହୋଇଥିଲା । ସେ ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ସେ 2017 ମସିହାରେ ଟ୍ରିପଲ ତଲାକ ଉପରେ ହୋଇଥିବା ଶୁଣାଣିର ଖଣ୍ଡପୀଠରେ ଥିଲେ ।