ନୂଆଦିଲ୍ଲୀ: ମୁଖମଣ୍ଡଳରେ ଅଗ୍ନି ପରି ତେଜ, ଆଖିରେ ସେନାର ଶୌର୍ଯ୍ୟ ଏବଂ ହାତରେ ବଜ୍ର ପରି ଶକ୍ତି। ଇଏ ହେଉଛନ୍ତି ଭାରତୀୟ ସେନାର ମେଜର ଶ୍ବେତା ପାଣ୍ଡେ । ସାରା ଭାରତକୁ ଆଜି ତାଙ୍କ ଉପରେ ଗର୍ବ ଓ ଗୌରବ। କାହିଁକି ବା ହେବନି, ଚଳିତବର୍ଷ 74ତମ ସ୍ବାଧୀନତା ଦିବସରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତ୍ରିରଙ୍ଗା ଉଡାଇବାରେ ମେଜର ଶ୍ବେତା ତାଙ୍କୁ ସାହାଯ୍ୟ କରିଥିଲେ। ଏଥିପାଇଁ ଭାରତୀୟ ସେନା ପକ୍ଷରୁ ତାଙ୍କୁ ଫ୍ଲାଗସିପ୍ ଅଫିସର ଭାବେ ନିୟୋଜିତ କରାଯାଇଥିଲା। ସେଥିପାଇଁ ତାଙ୍କୁ ସେନା ଏବଂ ଲକ୍ଷ୍ମୌବାସୀଙ୍କ ପକ୍ଷରୁ ଭରପୁର ଶୁଭେଚ୍ଛା ମିଳିଥିଲା। ମୋଦି ତାଙ୍କ ଭାଷଣରେ ମହିଳା ସଶକ୍ତୀକରଣ ଏବଂ ତାଙ୍କ ଉପଲବଧି ସମ୍ପର୍କରେ ଖୁବ୍ ସୁନ୍ଦର ଭାବେ ବାଖ୍ୟା କରିଥିଲେ। ତେଣୁ ରାଷ୍ଟ୍ରୀୟ ଧ୍ବଜା ଉଡାଇବାରେ ସେନାର ଜଣେ ମହିଳା ମେଜର ତାଙ୍କୁ ସହାୟତା କରି ଏହି ଭାଷଣକୁ ଜୀବନଦାନ ଦେଇଥିଲେ।
କେବଳ ଏତିକି ନୁହେଁ, ଚଳିତବର୍ଷ ଜୁନ ମାସରେ ମସ୍କୋରେ ଆୟୋଜିତ ହୋଇଥିଲା 'ଭିକ୍ଟୋରି ଡେ ପରେଡ'। ଏଥିରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ ମେଜର ଶ୍ବେତା ପାଣ୍ଡେ। ଭାରତର ତିନୋଟି ବାହିନୀର ସେ କମାଣ୍ଡର ଥିଲେ। ଏବଂ ତ୍ରିରଙ୍ଗା ଉଡାଇଥିଲେ। ବିଦେଶୀ ମାଟିରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିବାରୁ ସେ ଗର୍ବ ଅନୁଭବ କରନ୍ତି । ସେତେବେଳେ ମଧ୍ୟ ପୁରା ଭାରତକୁ ତାଙ୍କ ଉପରେ ଗର୍ବ ଥିଲା। ଦେଶର ବିଭିନ୍ନ ଆଡୁ ତାଙ୍କୁ ବିପୁଳ ଅଭିନନ୍ଦନ ମିଳିଥିଲା।
![ମସ୍କୋରେ ଆୟୋଜିତ ଭିକ୍ଟୋରୀ ଡେ ପରେଡରେ ମେଜର ଶ୍ବେତା](https://etvbharatimages.akamaized.net/etvbharat/prod-images/8496124_shewta1141111111111.jpg)
ଶ୍ବେତା ବର୍ତ୍ତମାନ 505 ବେସ ୱାକସର୍ପରୁ ଇଲେକ୍ଟ୍ରୋନିକ୍ସ ଏବଂ ମେକାନିକାଲ ଇଞ୍ଜିନିୟରିଂ କୋରର ଅଧିକାରୀ ଭାବେ ଦେଶ ସେବାରେ ନିୟୋଜିତ ଅଛନ୍ତି । ଉତ୍ତରପ୍ରଦେଶର ଲକ୍ଷ୍ନୌ ବାସିନ୍ଦା ରାଜରତନ ପାଣ୍ଡେ ଓ ଅମିତା ପାଣ୍ଡେଙ୍କ ସୁପୁତ୍ରୀ ଶ୍ବେତା ପାଣ୍ଡେ 2007ରେ ଲକ୍ଷ୍ନୌସ୍ଥିତ ସିଟି ମଣ୍ଟେଶ୍ବରୀ ସ୍କୁଲର ଆରଡିଏସଓ ବ୍ରାଞ୍ଚରୁ ନିଜ ପାଠପଢା ଆରମ୍ଭ କରିଥିଲେ। ତାଙ୍କ ବାପା ରାଜରତନ ଉତ୍ତରପ୍ରଦେଶ ସରକାରର ଅର୍ଥ ବିଭାଗରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି । ତାଙ୍କ ମା ଅମିତା ପାୟନିୟର କଲେଜରେ ହିନ୍ଦୀ ବିଷୟରେ ପ୍ରଫେସର ଥିଲେ। ଦୁହେଁ ଏବେ ଅବସର ଗ୍ରହଣ କରିସାରିଲେଣି।
ସ୍କୁଲ ପାଠପଢା ସରିବା ପରେ ଶ୍ବେତା ଆଜାଦ୍ ଇନଷ୍ଟିଚ୍ୟୁଟ ଆଣ୍ଡ ମ୍ୟାନେଜମେଣ୍ଟରୁ କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ କରିଥିଲେ। ଏହାପରେ 2012ରେ ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀରୁ ଭାରତୀୟ ସେନାରେ ମେଜର ରୂପେ ଯୋଗ ଦେଲେ। ଶ୍ବେତା ପୂର୍ବରୁ ବହୁ ଉପଲବଧି ହାସଲ କରିଛନ୍ତି । ସେ ବହୁ ଗୁଣର ଅଧିକାରୀଣି ଅଟନ୍ତି । ଟ୍ରେନିଂ ଏକାଡେମୀରୁ ସେ ଗଢୱାଲ ରାଇଫଲ ପଦକ ହାସଲ କରିଥିଲେ। ସେ ସ୍କୁଲ ଓ କଲେଜ ସମୟରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ 75ରୁ ଊର୍ଦ୍ଧ୍ବ ପଦକ ଏବଂ 250ରୁ ଊର୍ଦ୍ଧ୍ବ ସାର୍ଟିଫିକେଟ ହାସଲ କରିଛନ୍ତି ।
![ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂଙ୍କ ସହ ମେଜର ଶ୍ବେତା ଓ ତାଙ୍କ ଟିମ୍](https://etvbharatimages.akamaized.net/etvbharat/prod-images/8496124_shewta1171111111111.jpg)
ଝିଅର ଏହି ସଫଳତା ସମ୍ପର୍କରେ ବାପା ରାଜରତନ 'ଇଟିଭି ଭାରତ'କୁ ଫୋନ ଯୋଗେ କୁହନ୍ତି ଯେ, 'କେବଳ ମୁଁ ନୁହେଁ, ସାରା ଭାରତକୁ ଶ୍ବେତା ଉପରେ ଗର୍ବ। ସେ ସମଗ୍ର ଭାରତର ଝିଅ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋ ଝିଅକୁ ଦେଖିଲାବେଳକୁ ମୋ ଛାତି କୁଣ୍ଢେମୋଟ ହୋଇଯାଉଥିଲା। ଆଖିରୁ ଖୁସିର ଲୁହ ଝରିପଡୁଥିଲା। ଏହା କେବଳ ତାର ପରିଶ୍ରମ ଓ ନିଷ୍ଠା ଯୋଗୁଁ ହିଁ ସମ୍ଭବ ହୋଇପାରିଛି । ପୁରା ଉତ୍ତରପ୍ରଦେଶବାସୀଙ୍କୁ ଶ୍ବେତା ଉପରେ ଗର୍ବ'।
![ମେଜର ଶ୍ବେତାଙ୍କ ସହ ଅନ୍ୟମାନେ](https://etvbharatimages.akamaized.net/etvbharat/prod-images/8496124_shewta1151111111111111.jpg)
ନିଜର ଏହି ପ୍ରଶଂସନୀୟ କାର୍ଯ୍ୟ ସମ୍ପର୍କରେ ଶ୍ବେତା କୁହନ୍ତି ଯେ, 'ସେ ସେନାର ନିୟମରେ ବନ୍ଧା, ତେଣୁ ଏ ପରିସ୍ଥିତିରେ ସେ କିଛି କହିପାରିବେ ନାହିଁ। କେବଳ ଏତିକି ହିଁ କହିବି ଯେ, ସେ ଲକ୍ଷ୍ନୌର ଝିଅ, ଏବଂ ଦେଶର ସେବା କରୁଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତର ଗର୍ବ ହେଉଛି 'ତ୍ରିରଙ୍ଗା'। ମୋଦିଙ୍କ ସହ ତ୍ରିରଙ୍ଗା ଉଡାଇବାର ସୁଯୋଗ ମିଳିଥିବାରୁ ସେ ନିଜକୁ ବହୁତ ଧନ୍ୟ ମନେ କରୁଛନ୍ତି । ସେନା ମୋତେ ଏହି ସୁଯୋଗ ଦେଇଥିବାରୁ ମୁଁ ସେନାକୁ ଧନ୍ୟବାଦ ଜଣାଉଛି'।
![ଭାରତୀୟ ସେନାବାହିନୀ ସହ ମେଜର ଶ୍ବେତା](https://etvbharatimages.akamaized.net/etvbharat/prod-images/8496124_shewta1161111111111.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ