ଶ୍ରୀନଗର: ଅଗଷ୍ଟ 5 ତାରିଖରେ ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଧାରା 370 ଉଚ୍ଛେଦର ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ 4 ତାରିଖରୁ ଜମ୍ମୁ-କାଶ୍ମୀରରେ ଲାଗୁ ହୋଇଥିଲା ଧାରା 144 । ଏହା ସହିତ ସରକାର ସେଠାରେ ଇଣ୍ଟରନେଟ ଏବଂ ଫୋନ ସେବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ପରେ ଘାଟିରେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ଦର୍ଶାଇ ପ୍ରଶାସନ ପକ୍ଷରୁ ନିଆଯାଇଥିଲା ଏଭଳି ନିଷ୍ପତ୍ତି ।
ତେବେ ବର୍ତ୍ତମାନ ସେଠାକାର ସ୍ଥିତି ସ୍ବଭାବିକ ହେଉଛି । ଧୀରେ ଧୀରେ ସମସ୍ତ ସ୍କୁଲ ଏବଂ କାର୍ଯ୍ୟାଳୟ ଖୋଲୁଛି । କାଶ୍ମୀର ପ୍ରଶାସନ ପକ୍ଷରୁ ପୂର୍ବରୁ ପ୍ରାଥମିକ ସ୍କୁଲ ଖୋଲିବାର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବୁଧବାର ମାଧ୍ୟମିକ ଶ୍ରେଣୀର ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ତେବେ ବୁଧବାର ସ୍କୁଲ ତ ଖୋଲିଥିଲା କିନ୍ତୁ ଆସିନଥିଲେ କୌଣସି ଛାତ୍ରଛାତ୍ରୀ । ଖାଲି ପଡିଥିଲା ଅଧିକାଂଶ ସ୍କୁଲ । ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କିଛି ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ଛାଡୁନଥିବା ଜଣା ପଡିଛି । ଆଉ କେତେକ ଅଭିଭାବକ ଯୋଗାଯୋଗ ଅଭାବରୁ ସ୍କୁଲ ଖୋଲିବା ନେଇ ଜାଣିନାହାନ୍ତି । ପୂର୍ବରୁ ସେମାନଙ୍କୁ ଫୋନ କିମ୍ବା ମେସେଜ ଜରିଆରେ ସ୍କୁଲର ସମସ୍ତ ତଥ୍ୟ ମିଳି ଯାଉଥିଲା । କିନ୍ତୁ ଫୋନ ଇଣ୍ଟରନେଟ ସେବା ଉପରେ ପ୍ରତିବନ୍ଧକ ଲାଗିଥିବାରୁ ସେମାନେ ଏନେଇ ତଥ୍ୟ ମଧ୍ୟ ପାଇପାରୁନଥିବା କିଛି ଛାତ୍ର ଅଭିଯୋଗ କରିଛନ୍ତି ।
ତେବେ ପ୍ରଶାସନ ପକ୍ଷରୁ ସହରର କେତେକ ଅଂଶରୁ ପ୍ରତିବନ୍ଧକ ହଟାଯାଇଛି । ସହରର ଆଖ ପାଖ ଅଞ୍ଚଳରୁ ଏବଂ ସିଭିଲ ଲାଇନ କ୍ଷେତ୍ରରୁ ଏହି ପ୍ରତିବନ୍ଧକ ହଟିଛି । କିନ୍ତୁ ଆଇନ ବ୍ୟବସ୍ଥାକୁ ସଠିକ୍ ରଖିବା ପାଇଁ ଏବେ ସୁଦ୍ଧା ସୁରକ୍ଷାକର୍ମୀଙ୍କୁ ନିୟୋଜିତ ରଖାଯାଇଛି । ସେହିପରି 93 ହଜାର ଲ୍ୟାଣ୍ଡ ଲାଇନ ମଧ୍ୟରୁ 73 ହଜାର ଲ୍ୟାଣ୍ଡଲାଇନ ବ୍ୟବସ୍ଥା ସ୍ବଭାବିକ କରାଯାଇଛି । ଖୁବଶିଘ୍ର ସମସ୍ତ ଯୋଗାଯୋଗ ସ୍ବଭାବିକ କରାଯିବ ବୋଲି ଜଣା ପଡିଛି । ଅପରପକ୍ଷରେ ଦୋକାନବଜାର ଏବେ ସୁଦ୍ଧା ବନ୍ଦ ରହିଛି ଏବଂ ଇଣ୍ଟରନେଟ ସେବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି ।