ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଦେଶର ପ୍ରଥମ ଘରୋଇ ଟ୍ରେନ ସେବା ‘ତେଜସ ଏକ୍ସପ୍ରେସ’ । ଶୁକ୍ରବାର ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛଲନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଇ-ଟିକେଟ ଓ ଭାରତୀୟ ରେଳବାଇ କ୍ୟାଟେରିଂ ଶାଖା, ଆଇଆରସିଟିସିର ମିଳିତ ଉଦ୍ୟମରେ ଏହି ଟ୍ରେନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ସୂଚନା । ତେବେ ଉତ୍ତର ପ୍ରଦେଶ ଓ ଦିଲ୍ଲୀବାସୀଙ୍କୁ ଏହା ଏକ ନୂଆ ଅନୂଭବ ଦେବ ବୋଲି ପ୍ରକାଶ କରିଛି ଆଇଆରସିଟିସି।
ଦେଶରେ ଘରୋଇ ଟ୍ରେନ ସେବା ଆରମ୍ଭ କରିବା ଦିଗରେ ଏହା ଏକ ପ୍ରାଥମିକ ପଦକ୍ଷେପ ବୋଲି କହିଛି ରେଳ ମନ୍ତ୍ରଣାଳୟ । କେବଳ ଆରାମଦାୟକ ଯାତ୍ରା ନୁହେଁ ବରଂ ଯାତ୍ରୀଙ୍କୁ ଟ୍ରେନ ଯାତ୍ରାରେ ସୁବିଧା, ଟିକେଟ ବୁକିଂ, କ୍ୟାନ୍ସେଲେସନ, ରିଫଣ୍ଡ ଓ ଟ୍ରାଭେଲ ଇନସ୍ୟୁରାନ୍ସ ଦିଗରେ ମଧ୍ୟ ସୁବିଧା ଯୋଗାଇବା ଲକ୍ଷ୍ୟ ରଖିଛି ଆଇଆରସିଟିସି।
ତେବେ ତେଜସ ଏକ୍ସପ୍ରେସକୁ ନେଇ ଜାଣନ୍ତୁ 10ଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ:
1- ଏହା ଦେଶର ପ୍ରଥମ ଘରୋଇ ଟ୍ରେନ । ଆଇଆରସିଟିସି ଦ୍ବାରା ପରିଚାଳିତ ଏହି ଟ୍ରେନ ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଥିବା ପ୍ରଥମ ଘରୋଇ ଟ୍ରେନ ଯାହାକି ଭାରତୀୟ ରେଳବାଇ ନେଟୱାର୍କରେ ଯାତାୟତ କରିବ । ଏହି ସଫଳତା ଆଗାମୀ ଦିନରେ ଅନ୍ୟ ଘରୋଇ ଟ୍ରେନ ଚଳାଚଳକୁ ପ୍ରୋତ୍ସାହିତ କରିବ।
2- ଏହି ଟ୍ରେନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ ନିଜ ବ୍ୟାଗେଜକୁ ନେଇ ମିଳିବ ଅନେକ ସୁବିଧା । ଯାତ୍ରୀଙ୍କ ଘରଠାରୁ ବ୍ୟାଗେଜ ନେଇ ଟ୍ରେନର ସିଟ୍ ପର୍ଯ୍ୟନ୍ତ ପହଞ୍ଚାଇବାର ଏଥିରେ ସୁବିଧା ରହିଛି । ସମାନ ଭାବେ ଟ୍ରେନ ସିଟ୍ରୁ ପରବର୍ତ୍ତୀ ଡେଷ୍ଟିନେସନରେ ବି ପହଞ୍ଚିଯିବ ଯାତ୍ରୀଙ୍କ ବ୍ୟାଗେଜ ।
3- ତେଜସରେ ପ୍ରଥମ ଥର ପାଇଁ ଯାତ୍ରୀଙ୍କୁ ଆଂଶିକ ରିଫଣ୍ଡର ସୁବିଧା ମିଳିବ । ଟ୍ରେନ ସମୟରେ ବିଳମ୍ବ ହେଲେ ବା ଡିଲେ ହେଲେ ଯାତ୍ରୀଙ୍କୁ ସେମାନଙ୍କ ଟିକେଟ ପରିମାଣର ଆଂଶିକ ପରିମାଣ ରିଫଣ୍ଡ ମିଳିବ । ଏହି ନିୟମ ମୁତାବକ ଯଦି ଟ୍ରେନ 1 ଘଣ୍ଟା ବିଳମ୍ବ ହୁଏ ତେବେ ଯାତ୍ରୀଙ୍କୁ 100ଟଙ୍କା ଏବଂ ଯଦି ଟ୍ରେନ 2 ଘଣ୍ଟା ବିଳମ୍ବ ହୁଏ ତେବେ ଯାତ୍ରୀଙ୍କୁ 250ଟଙ୍କା ରିଫଣ୍ଡ ହେବ।
4- ଏହି ଟ୍ରେନରେ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀଙ୍କୁ 25ଲକ୍ଷ ପର୍ଯ୍ୟନ୍ତ ମାଗଣା ରେଳ ଇନସ୍ୟୁରାନ୍ସ ଯୋଗାଇ ଦିଆଯିବ।
5- ଆଇଆରସିଟିସି ଦ୍ବାରା ଯାତ୍ରୀଙ୍କୁ ମିଳିବାକୁ ଥିବା ଟ୍ରାଭେଲ ଇନସ୍ୟୁରାନ୍ସରେ ଘରୋଇ ସାମଗ୍ରୀ ଚୋରି ହେଲେ 1 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ରହିବ।
6- ଭାରତୀୟ ରେଳ ବିଭାଗ ଦ୍ବାରା ଟିକେଟ କ୍ୟାନ୍ସେଲ କଲେ ଯେତିକି ପରିମାଣର ଅର୍ଥ ଡିଡକ୍ଟ ହୁଏ ଆଇଆରସିଟିସି ଦ୍ବାରା ଏହାର ପରିମାଣ କମ ହେବ ।
7- ଯାତ୍ରୀ କେବଳ ଆଇଆରସିଟିସିର ଅଫିସିଆଲ ୱେବସାଇଟ କିମ୍ବା ଆଇଆରସିଟିସି ରେଲ କନେକ୍ଟ ଆପକୁ ଯାଇ ଟିକେଟ ବୁକ କରିପାରିବେ । କୌଣସି ରେଲୱେ ରିଜର୍ଭେସନ କାଉଣ୍ଟରରେ ଏହାର ଟିକେଟ ଉପଲବ୍ଧ ରହିବ ନାହିଁ । ତେବେ ଯାତ୍ରୀ ଅଥରାଇଜ୍ଡ ଆଇଆରସିଟିସି ଏଜେଣ୍ଟ ଦ୍ବାରା ମଧ୍ୟ ଟିକେଟ କରାଇପାରିବେ ।
8- ସାଧାରଣ ଟ୍ରେନରେ ରିଜର୍ଭେସନ ଅବଧି 120 ଦିନ ରହିଥିବା ବେଳେ ତେଜସରେ ଏହା 60 ଦିନ ରହିବ । ଏହା କୌଣସି ତତ୍କାଳ ବା ପ୍ରିମିୟମ ତତ୍କାଳ କୋଟାକୁ ସପୋର୍ଟ କରିବା ନାହିଁ । ତେବେ 78 ସିଟ ବିଶିଷ୍ଟ ଏସି ଚେୟାର କାର କୋଚ ଗ୍ରୁପ ବୁକିଂ ପାଇଁ ଉପଲବ୍ଧ ରହିବ ।
9- ବିମାନ ପରି ତେଜସ ଏକ୍ସପ୍ରେସରେ ମଧ୍ୟ ଯାତ୍ରୀଙ୍କୁ ଖାଦ୍ୟ ପରଷାଯିବ । ଏଥିସହ ମାଗଣାରେ ଚାହା ଓ କଫି ପାଇଁ ମଧ୍ୟ ଭେଣ୍ଡିଂ ମେସିନର ବ୍ୟବସ୍ଥା ରହିବ ।
10- ତେଜସ ଏକ୍ସପ୍ରେସରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କୁ ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଆଇଆରସିଟିସି ଦ୍ବାରା ଏକ୍ଡିକ୍ୟୁଟିଭ ଲାଉଞ୍ଜର ସୁବିଧା ମିଳିବ।