ଚଣ୍ଡିଗଡ଼: ଦେଶବ୍ୟାପୀ ଲକଡାଉନକୁ ଦେଶବାସୀ ସଠିକ ଭାବେ ପାଳୁଥିବା ବେଳେ ଜଣେ ବରିଷ୍ଠ ନେତା ଏହି ଲକଡାଉନକୁ ହସରେ ଉଡାଇ ଦେଇଛନ୍ତି । ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପ୍ରମୁଖ ସଚିବ ରାଜେଶ ଖୁଲ୍ଲର ବିଦେଶରୁ ଫେରିଥିଲେ । କୋରୋନା ଭାଇରସକୁ ଦୃଷ୍ଟିରେ ରଖି ସରକାରଙ୍କ ପ୍ରୋଟୋକଲ ଅନୁସାରେ ତାଙ୍କୁ ସେଲ୍ଫ-କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ସେ ଏହି ନିୟମକୁ ଉଲ୍ଲଂଘନ କରିଛନ୍ତି ।
ସେକ୍ଟର-16 ସ୍ଥିତ ଖୁଲ୍ଲରଙ୍କ ସରକାରୀ ଆବାସ ବାହାରେ ଏକ ସୂଚନା ବା ନୋଟିସ ବୋର୍ଡ ମରାଯାଇଛି । ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ‘କୋଭିଡ-19 ଡୁ ନଟ ଭିଜିଟ (ଏଠାକୁ ଆସନ୍ତୁ ନାହିଁ)’ । ରେଜେଶ ଖୁଲ୍ଲର ମାର୍ଚ୍ଚ 20 ରୁ ଏପ୍ରିଲ 3 ତାରିଖ ଯାଏ ନିଜକୁ କ୍ବାରେଣ୍ଟାଇନରେ ରଖିବେ ବୋଲି ନିର୍ଦ୍ଦେଶ ପାଇଥିଲେ । ଏହା ସତ୍ତ୍ବେ ରାଜେଶ ସମସ୍ତ ନିୟମକୁ ଉଲ୍ଲଂଘନ କରି ନିଜ ଘରୁ ବାହାରକୁ କ୍ରମାଗତ ବାହାରୁଛନ୍ତି ଏବଂ ନିଜ କାର୍ଯ୍ୟାଳୟକୁ ସମ୍ଭାଳୁଛନ୍ତି । ସେ ନିଜର କର୍ମଚାରୀ ଏବଂ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଡାକି କାମ କରାଯାଉଛନ୍ତି ।
ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଅଧିକାଂଶ ଅଧିକାରୀ ଏବଂ କର୍ମଚାରୀ ତାଙ୍କର ଘରେ ଯିବାକୁ ଡରୁଛନ୍ତି । ତଥାପି ସମସ୍ତ ଅଧିକାରୀକ ଆଦେଶକୁ ପାଳନ କରିବାକୁ ବାଧ୍ୟ ହେଉଛନ୍ତି । ଏପରିକି ତାଙ୍କର ବ୍ୟକ୍ତିଗତ କର୍ମଚାରୀଙ୍କୁ ମଧ୍ୟ କୋଭିଡ-19 ହେଉଥିବାର ଲକ୍ଷଣ ଦେଖାଦେଇଛି ।’
@IANS