ଥିରୁଅନନ୍ତପୁରମ: ବର୍ତ୍ତମାନ ସମୟରେ ମଣିଷପଣିଆକୁ ମାରିଦେଲା ଭଳି ଅନେକ ମାମଲା ସାମ୍ନାକୁ ଆସୁଛି । କିନ୍ତୁ ଏପରି ବି କିଛି ମାମଲା ଅଛି ଯାହାକୁ ଦେଖିଲେ ଲାଗେ ଏବେବି ବଞ୍ଚି ରହିଛି ମାନବିକତା । ଏଭଳି ଏକ ଘଟଣା କେରଳରେ ଦେଖିବାକୁ ମିଳିଛି । କେରଳର ଏର୍ନାକୁଲମରେ ଜଣେ କପଡା ବ୍ୟବସାୟୀ ବନ୍ୟା ପୀଡିତଙ୍କ ପାଇଁ ସମର୍ପିତ କରିଦେଇଛନ୍ତି ନିଜର ସର୍ବସ୍ବ ।
କେରଳର ଏର୍ନାକୁଲମରେ ଛୋଡ କପଡା ଦେକାନ ଚଲାନ୍ତି 52 ବର୍ଷିୟ ନୌଶାଦ । ବନ୍ୟା ପୀଡିତଙ୍କ ଦୁଃଖ ଦୁର୍ଦଶା ଦେଖି ନପାରି ସେ ନିଜ ପେଟପାଟଣାର ଏକମାତ୍ର ସାହାରା ନିଜ ଦେକାନକୁ ଖାଲି କରିଦେଇଛନ୍ତି ଏବଂ ଦୋକାନର ସମସ୍ତ କପଡା ବନ୍ୟା ପୀଡିତଙ୍କୁ ଦାନ କରିଦେଇଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ବରଂ ଗତବର୍ଷ ବନ୍ୟାରେ ମଧ୍ୟ ପ୍ରଭାବିତଙ୍କୁ ସେ ଏଭଳି ଭାବରେ ସାହାଯ୍ୟ କରିଥିଲେ । ତେବେ ବନ୍ୟା ପ୍ରଭାବିତଙ୍କୁ ଦାନ କରୁଥିବାର ତାଙ୍କର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକ ଏହାକୁ ଖୁବ୍ ପସନ୍ଦ କରିବା ସହ ନୌଶାଦଙ୍କୁ ରିଅଲ ଲାଇଫ ହିରୋ ବୋଲି କହୁଛନ୍ତି ।
ତେବେ ଏହା ଇଦ ପାଳିବାର ତାଙ୍କର ଏକ ଭିନ୍ନ ଉପାୟ ବୋଲି ନୌଶାଦ କହିଛନ୍ତି । ସୂଚନାଯୋଗ୍ୟ ଯେ, କେରଳରେ ବନ୍ୟାର ପ୍ରକୋପରେ ଏବେ ସୁଦ୍ଧା 76 ଜଣଙ୍କର ପ୍ରାଣହାନୀ ଘଟିଛି । ଏଥିରେ 2 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ 58 ଜଣ ନିଖୋଜ ଅଛନ୍ତି ।