ଲକ୍ଷ୍ନୌ: ଦିଲ୍ଲୀ ହସ୍ପିଟାଲରେ କେବଳ ରାଜଧାନୀବାସୀଙ୍କ ଚିକିତ୍ସା ହେବା ନେଇ ନିଜ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେବେ ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏଭଳି ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି । କେଜ୍ରିୱାଲ ପ୍ରଥମେ ଏଭଳି ନିଷ୍ପତ୍ତି ନିଅନ୍ତି ଏବଂ ପରେ ତାହା ପରିବର୍ତ୍ତନ କରି ଏଥିପାଇଁ କ୍ଷମା ପ୍ରାର୍ଥନା କରନ୍ତି ବୋଲି ସେ କହିଛନ୍ତି।
କେଜ୍ରିୱାଲଙ୍କୁ ସମାଲୋଚନା କରି ସିଦ୍ଧାର୍ଥ ନାଥ ସିଂ କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ନିଜ କଥାକୁ ନରଖିବା ସହ ସମାନ। ସେ କିଛି ନବୁଝି ପ୍ରଥମେ ନିଷ୍ପତ୍ତି ନିଅନ୍ତି, ପରେ ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରନ୍ତି ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କୋରୋନାଭାଇରସ ମାମଲା ଲଗାତାର ବୃଦ୍ଧି ପାଇବା ପରେ କୋରୋନା ଚିକିତ୍ସାକୁ ନେଇ ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀର ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କେବଳ ଦିଲ୍ଲୀବାସୀ ହିଁ ଚିକିତ୍ସିତ ହେବେ ବୋଲି ଦିଲ୍ଲୀ କ୍ୟାବିନେଟରେ ଗତ ରବିବାର ନିଷ୍ପତ୍ତି ନେଇଥିଲେ କୋଜ୍ରିୱାଲ ସରକାର । ତେବେ ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ୍ ବୈଜଲ କେଜ୍ରିଓ୍ଵାଲ ସରକାରଙ୍କ ନିଷ୍ପତ୍ତିକୁ ଓଲଟାଇ ଦେଇଥିଲେ। କୌଣସି ବି ବ୍ୟକ୍ତି ଦିଲ୍ଲୀର ହସ୍ପିଟାଲରେ ଚିକିତ୍ସା କରାଇ ପାରିବେ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ । ଯାହାପରେ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ହସ୍ପିଟାଲରେ କେବଳ ରାଜଧାନୀବାସୀଙ୍କ ଚିକିତ୍ସା ହେବା ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେବ।
ସୌଜନ୍ୟ@ANI