ଶ୍ରୀନଗର: ନଗରୋଟାରେ 4 ଆତଙ୍କବାଦୀଙ୍କ ଏନକାଉଣ୍ଟର ପରେ ରବିବାର ଭାରତୀୟ ସେନାକୁ ମିଳିଛି ଆଉ ଏକ ବଡ ସଫଳତା । ଜମ୍ମୁ ଓ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନକୁ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମା ପାଖରେ ଏକ ସୁଡଙ୍ଗର ମିଳିଛି ସନ୍ଧାନ । ସୀମା ସୁରକ୍ଷା ବାହୀନି(BSF) ଏବଂ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନ ସମୟରେ ସୀମାରେ ମିଳିଛି ଏହି ସୁଡଙ୍ଗ ।
ନଗରୋଟା ଏନକାଉଣ୍ଟରରେ ମୃତ ଆତଙ୍କବାଦୀମାନେ ଏହି ସୁଡଙ୍ଗ ଦେଇ ଭାରତୀୟ ସୀମାରେ ପ୍ରବେଶ କରିଥିବା ନେଇ ସନ୍ଦେହ କରାଯାଉଛି । ଏହି ସୁଡଙ୍ଗ ଅନ୍ତରାଷ୍ଟ୍ରୀୟ ସୀମାରୁ ମାତ୍ର 150 ମିଟର ଦୂରରେ ମିଳିଛି । ଏହା ଭୂପୃଷ୍ଠରୁ 15ରୁ 20 ଫୁଟ ଗଭୀର ବୋଲି ଜଣାପଡିଛି ।
ସୀମାରେ ସୁଡଙ୍ଗ ମିଳିବା ପରେ ପୂନର୍ବାର ପାକିସ୍ତାନର ମିଛ ଉପରୁ ପରଦା ହଟିଛି ବୋଲି କହିଛନ୍ତି ଜମ୍ମୁ କଶ୍ମୀର ଡିଜିପି । ଏହା ନିକଟରେ ଖୋଳା ଯାଇଥିବା ସୁଡଙ୍ଗ | ସୁଡଙ୍ଗରୁ କରାଚି କାରଖାନାର ବାଲିବସ୍ତା ମିଳିଛି । ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ପାକିସ୍ତାନ ପ୍ରାୟୋଜିତ କରୁଥିବା ଏହା ଆଉ ଏକ ପ୍ରମାଣ ବୋଲି ଡିଜିପି କହିଛନ୍ତି ।
ନଭେମ୍ବର 19 ସକାଳେ ଜାମ୍ମୁର ନଗରୋଟାଠାରେ ଭାରତୀୟ ସୁରକ୍ଷା ବାହିନୀଙ୍କ ଗୁଳିରେ 4 ଆତଙ୍କବାଦୀଙ୍କ ମୃତ୍ୟ ହୋଇଥିଲା । ଏହି ଆତଙ୍କବାଦୀମାନେ ପାକିସ୍ତାନର ଶାକରଗଡ ଅଞ୍ଚଳରୁ ଜାମ୍ମୁର ସାମ୍ବା ଅଞ୍ଚଳ ଦେଇ ଅନୁପ୍ରବେଶ କରିଥିଲେ । ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ସେମାନଙ୍କଠାରୁ ଏକ ମୋବାଇଲ୍ ଫୋନ୍, ଜିପିଏସ, ରେଡିଓ ସେଟ ଜବତ କରାଯାଇଥିଲା । ଜମ୍ମୁ-କାଶ୍ମୀରର ପୁଲୱାମାରୁ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି । ଏହି ଆତଙ୍କବାଦୀ ଜମ୍ମୁ ସ୍ଥିତ ତ୍ରାଳ ବାସିନ୍ଦା ବୋଲି କୁହାଯାଉଛି । ଏଥିସହ ଜମ୍ମୁର ଉଦ୍ଧାମପୁରରୁ 4 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ନାଗରୋଟା ମାମଲାରେ ଏମାନଙ୍କୁ ପଚରାଉଚରା ଜାରି ରହିଥିବା ଜଣାପଡିଛି ।