ନୂଆଦିଲ୍ଲୀ: ପାକିସ୍ତାନର ମନମାନୀ ସତ୍ବେ କରତାରପୁର କରିଡର ପାଇଁ ଚୁକ୍ତି କରିବାକୁ ରାଜି ହୋଇଛି ଭାରତ। ଆସନ୍ତା ବୁଧବାର ଅର୍ଥାତ ଅକ୍ଟୋବର 23 ତାରିଖ ଦିନ ଭାରତ ସରକାର କରତାରପୁର କରିଡର ପାଇଁ ଚୁକ୍ତି ସ୍ବାକ୍ଷର କରିବେ । ଭାରତର ବିରୋଧ ସତ୍ବେ ପାକିସ୍ତାନ ଶ୍ରଦ୍ଧାଳୁଙ୍କ ଠାରୁ 20 ଡଲାର ଅର୍ଥାତ 1420 ଟଙ୍କା ପ୍ରବେଶ ଶୁଳ୍କ ନେବା ପାଇଁ ଅଡି ବସିଛି । ତେବେ ଭାରତୀୟ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ଭାରତ ଚୁକ୍ତି କରିବାର ନିଷ୍ପତ୍ତି ନେଇଥିବା ଜଣା ପଡିଛି ।
ଗୁରୁନାନକଙ୍କ ୫୫୦ ତମ ଜନ୍ମଦିନରେ କରତାରପୁର କରିଡର ଉଦ୍ଘାଟନ ହେବ। ନଭେମ୍ବର ୧୨ ରେ ଗୁରୁ ନାନକଙ୍କ ଜନ୍ମଦିନ। ଶ୍ରଦ୍ଧାଳୁଙ୍କୁ ବିନା ଭିଜାରେ କରତାରପୁର କରିଡର ଯାତ୍ରା କରିବାର ଦାବିକୁ ଦୃଷ୍ଟିରେ ରଖି ନଭେମ୍ବର ୧୨ ପୂର୍ବରୁ ହିଁ କରତାରପୁର କରିଡରର ସମସ୍ତ ବିବାଦର ସମାଧାନ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ସେପଟେ ଶ୍ରଦ୍ଧାଳୁଙ୍କ ଠାରୁ ହଡପ କରୁଥିବା ଶୁଳ୍କ ସମ୍ବନ୍ଧରେ ପୁନର୍ବିଚାର କରିବାକୁ ପାକିସ୍ତାନକୁ କହିଛନ୍ତି ଭାରତ ସରକାର । ଭାରତ କୌଣସି ମୂହୁର୍ତ୍ତରେ ମଧ୍ୟ ଚୁକ୍ତି ବଦଳାଇବାକୁ ରାଜି ଅଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, କରତାରପୁର କରିଡର ପାଇଁ ଗତକାଲି(ରବିବାର) ଠାରୁ ଅନଲାଇନ ପଞ୍ଜୀକରଣର ଆରମ୍ଭ ହେବାର ଥିଲା । କିନ୍ତୁ ପାକିସ୍ତାନ ଶ୍ରଦ୍ଧାଳୁଙ୍କ ପ୍ରବେଶ ଶୁଳ୍କ 20 ଡଲାର କରିବାକୁ ଅଡିବସିଥିଲା । ଯେଉଁଥିରେ ଭାରତ ସହମତି ପ୍ରକାଶ କରିନଥିଲା । ଫଳରେ ପଞ୍ଜୀକରଣ ଆରମ୍ଭ ହୋଇପାରିନଥିଲା ।