ବେଙ୍ଗାଲୁରୁ: ଗତ କିଛିଦିନ ଧରି କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ନାଟକ ଅନ୍ତ ହେବା ପରିବର୍ତ୍ତେ ଆହୁରି ରୋମାଞ୍ଚିତ ହେଉଛି । ଏକ ବର୍ଷ ହେଲା ରାଜ୍ୟରେ ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ଚାଲିଥିଲେ ମଧ୍ୟ ଏବେ ସରକାରରେ ଅସ୍ଥିରତା ଦେଖାଦେଇଛି । ମେଣ୍ଟ ଗୋଠରୁ 16 ବିଧାୟକ ଡିଆଁ ମାରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦେଖି ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ ଇସ୍ତଫା ଦେବା ପରିବର୍ତ୍ତେ ବହୁମତ ପ୍ରମାଣ ଦେବାକୁ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ଦିନ ଧାର୍ଯ୍ୟ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।
ବାଚସ୍ପତି ଗତ 18 ତାରିଖରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଯେଉଁ ମୁଖ୍ୟମନ୍ତ୍ରୀ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଦମ୍ଭୋକ୍ତି ଦେଖାଉଥିଲେ ମଧ୍ୟ ଗତ ଦୁଇଦିନ ମଧ୍ୟରେ ତାଙ୍କ ଦମ୍ଭ ଭାଙ୍ଗିଯାଇଛି । ଆସ୍ଥା ଭୋଟ ସମ୍ମୁଖିନ ହେବା ପରିବର୍ତ୍ତେ କୁମାର ସ୍ବାମୀ ସମ୍ବିଧାନର ପାଠ ପଢାଇ ଏହାକୁ ଏଡାଇ ଚାଲିବା ସହ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି । ଫଳରେ କର୍ଣ୍ଣାଟକରେ ସାମ୍ବିଧାନିକ ସଂକଟ ସୃଷ୍ଟି ହେବା ସହ ରାଜ୍ୟରେ ଶାସନ ବ୍ୟବସ୍ଥା ଭୁଶୁଡି ଗଲାଣି । ତେବେ ଆଗକୁ କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ କଣ ହେବ ବିଦ୍ରୋହୀ ବିଧାୟକଙ୍କ ପରବର୍ତ୍ତୀ ପଦକ୍ଷେପ ।
ଅନ୍ୟପଟେ ରାଜ୍ୟର ଶାସନ ମୁଖ୍ୟ ରାଜ୍ୟପାଳଙ୍କ ନିଷ୍ପତିକୁ ଫୁ' କରି ଉଡାଇ ଦେଇଥିବା କୁମାର ସ୍ବାମୀଙ୍କ ସରକାର ପ୍ରତି ରାଜ୍ଯପାଳ କଣ ପଦକ୍ଷେପ ନେଉଛନ୍ତି । ଆଜି କେଉଁ ନାଟକ ମଞ୍ଚସ୍ଥ ହେବ ଏହି ରଙ୍ଗମଞ୍ଚରେ ତାହାକୁ ସାରା ଦେଶବାସୀ ଅପେକ୍ଷା କରିଛନ୍ତି ।
ପ୍ରଥମ- ରାଜନୈତିକ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆଜି ରାଜ୍ୟପାଳ ବଜୁଭାଇ ବାଲା ନିଜ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବେ । ତେବେ ତାଙ୍କ ରିପୋର୍ଟରେ କଣ ଉଲ୍ଲେଖ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।
ଦ୍ବିତୀୟ- କର୍ଣ୍ଣାଟକ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସର୍ବୋଚ୍ଚ ଅଦାଲତରେ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇପାରେ । ମୁଖ୍ୟମନ୍ତ୍ରୀ ତାଙ୍କ ଆବେଦନରେ ଗତ 15 ଜୁଲାଇରେ ଅଦାଲତା ଦେଇଥିବା ରାୟ ଉପରେ ସ୍ପଷ୍ଟିକରଣ ମାଗିବା ସହ ଯଦି ବିଦ୍ରୋହୀ ବିଧାୟକ ଗୃହରେ ଅନୁପସ୍ଥିତ ରୁହନ୍ତି ତାହେଲେ ତାଙ୍କର ବିକଳ୍ପ କଣ ହେବ ତାହା ସ୍ପଷ୍ଟ କରିବାକୁ ପ୍ରାର୍ଥନା କରିଛନ୍ତି ।
ତୃତୀୟ- ଆସ୍ଥା ଭୋଟ ବିଳମ୍ବକୁ ନେଇ ବିଜେପି ରାଜ୍ୟ ବ୍ୟାପି ଆନ୍ଦୋଳନ କରିପାରେ । ଏହାସହ ଏହି ଘଟଣାରେ କେନ୍ଦ୍ରୀୟ ବିଜେପି ନେତା ପଶିପାରନ୍ତି ।